ଭୁବନେଶ୍ୱର: ସହରାଞ୍ଚଳରେ ସୁଲଭ ଓ ଗୁଣାତ୍ମକ ଆବାସ ଯୋଗାଇବା ଦିଗରେ ଓଡ଼ିଶା ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ମହାରାଷ୍ଟ୍ରର ନଭି ମୁମ୍ବାଇରେ ଥିବା CIDCOର ଆଧୁନିକ ହାଉସିଂ ପ୍ରକଳ୍ପ ପରିଦର୍ଶନ କରି ନିର୍ମାଣର ନୂଆ ପ୍ରଯୁକ୍ତି ଓ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ତଥା ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର।
ମନ୍ତ୍ରୀ ନଭି ମୁମ୍ବାଇର ଖାରକୋପାର ଓ ବାମନଡୋଙ୍ଗରୀରେ ଥିବା CIDCOର PMAY-U ଅଧୀନସ୍ଥ ସୁଲଭ ଆବାସ ପ୍ରକଳ୍ପ ପରିଦର୍ଶନ କରିଥିଲେ। ବିଶେଷକରି ଆର୍ଥିକ ଦୁର୍ବଳ ବର୍ଗ (EWS) ଓ ନିମ୍ନ ଆୟ ବର୍ଗ (LIG) ପାଇଁ ନିର୍ମାଣ ହୋଇଥିବା ଘରଗୁଡ଼ିକର ଡିଜାଇନ୍, ନିର୍ମାଣ ପ୍ରଣାଳୀ ଓ ଯୋଜନା ସମ୍ପର୍କରେ ସେ ଅବଗତ ହୋଇଥିଲେ।
ଏହି ପ୍ରକଳ୍ପରେ ପ୍ରିକାଷ୍ଟ କଂକ୍ରିଟ୍, ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ଷ୍ଟ୍ରକ୍ଚରାଲ୍ କମ୍ପୋନେଣ୍ଟ, ମେକାନାଇଜ୍ଡ୍ କନ୍ଷ୍ଟ୍ରକ୍ସନ୍ ଏବଂ ଆଲୁମିନିୟମ୍ ଫର୍ମୱର୍କ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଉଛି। ଏହା ଦ୍ୱାରା କମ୍ ସମୟରେ ଅଧିକ ସଂଖ୍ୟକ ଘର ନିର୍ମାଣ ସହ ଗୁଣବତ୍ତା ବଜାୟ ରଖିବା ସମ୍ଭବ ହେଉଛି।
ପରିଦର୍ଶନ ସମୟରେ ମନ୍ତ୍ରୀ ଟାଉନ୍ସିପ୍ରେ ଥିବା ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା, ରେନ୍ୱାଟର ହାର୍ଭେଷ୍ଟିଂ, ଶକ୍ତି ସଞ୍ଚୟକାରୀ ଆଲୋକ, ସବୁଜ ଖୋଲା ସ୍ଥାନ ଏବଂ ବୈଜ୍ଞାନିକ କଠିନ ବର୍ଜ୍ୟ ପରିଚାଳନା ମଧ୍ୟ ଦେଖିଥିଲେ।
CIDCOର Transit-Oriented Development (TOD) ମଡେଲ୍ ମଧ୍ୟ ମନ୍ତ୍ରୀଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ଥିଲା। ମେଟ୍ରୋ, ରେଳ, ବସ୍ ନେଟୱର୍କ ଓ ପ୍ରମୁଖ ସଡ଼କ ସହ ଆବାସିକ ପ୍ରକଳ୍ପକୁ ଯୋଡ଼ି ଯାତାୟାତ ସମୟ କମାଇବା ଉପରେ ଏହି ମଡେଲ୍ ଗୁରୁତ୍ୱ ଦେଉଛି।
CIDCOର ଏହି ବ୍ୟବସ୍ଥିତ ଆବାସ ମଡେଲ୍କୁ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି, ଏଠାରୁ ମିଳିଥିବା ଅଭିଜ୍ଞତା ଓଡ଼ିଶାର PMAY-U ଆବାସ ଯୋଜନାରେ ଉପଯୋଗୀ ହେବ। ଓଡ଼ିଶାରେ ପ୍ରିକାଷ୍ଟ ଓ ମଡ୍ୟୁଲାର ନିର୍ମାଣ ପ୍ରଣାଳୀ ଆପଣାଇବାର ସମ୍ଭାବନା ଯାଞ୍ଚ କରାଯିବା ସହ CIDCO ସହ ବୈଷୟିକ ସହଯୋଗ ନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଏହି ପରିଦର୍ଶନରୁ ମିଳିଥିବା ଅଭିଜ୍ଞତା ଓଡ଼ିଶାର ଆଗାମୀ ଟେକ୍ନୋଲୋଜି ଭିତ୍ତିକ, ସ୍ଥାୟୀ ଓ ନାଗରିକ-କେନ୍ଦ୍ରିକ ଆବାସ ଯୋଜନା ପାଇଁ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଛି।