ଭୁବନେଶ୍ୱର: ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାକୁ ସମସ୍ତ ବୁଲା ପଶୁଙ୍କୁ ହଟାଯିବ । ଆବଶ୍ୟକ ପଡ଼ିଲେ ଏନ୍ଏଚ୍ ଉପରେ ଗୋ-ଶାଳା ନିର୍ମାଣ କରାଯିବ । ଏ ନେଇ ସଡ଼କ ଓ ପରିବହନ ବିଭାଗ ଓ ପଶୁ ସମ୍ପଦ ବିଭାଗ ମଧ୍ୟରେ ଆଲୋଚନା ହୋଇଥିବା ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଗତକାଲି ସଡ଼କ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ପଶୁ ସମ୍ପଦ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଯୋଗ ଦେଇଥିଲେ । ଜାତୀୟ ରାଜପଥ ଉପରେ ସଡ଼କ ଦୁର୍ଘଟଣା ରୋକିବା ଉପରେ ବୈଠକରେ ଆଲୋଚନା ହୋଇଯାଇଛି । ଏଥିପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଦୁର୍ଘଟଣାକୁ ହ୍ରାସ କରିବାକୁ ବୁଲା ପଶୁଙ୍କୁ ରାସ୍ତା କଡ଼ରୁ ହଟା ଯିବ । ବିଶେଷ କରି ବୁଲା ଗାଈ ଗୋରୁଙ୍କ ପାଇଁ ଗୋଶାଳା ନିର୍ମାଣ କରାଯିବ । ଗୋରୁ ଗୁଡ଼ିକର ରକ୍ଷଣାବେକ୍ଷଣା, ଭରଣ ପୋଷଣ ଦାୟିତ୍ୱ ପଶୁ ସମ୍ପଦ ବିଭାଗ ନେବ । ସେହିପରି ଏନ୍ଏଚ୍ ଉପରେ ଗୋ ଚାଲାଣ ରୋକିବାକୁ ମଧ୍ୟ ପଦକ୍ଷେପ ନିଆଯିବ । କେଉଁ ଗାଡ଼ିରେ ଗୋ ଚାଲାଣ ହେଉଛି ତାହାର ରିପୋର୍ଟ ରଖାଯିବ । ଏଥିରେ ସ୍ଥାନୀୟ ପୋଲିସର ମଧ୍ୟ ସହାୟତା ନିଆଯିବ ।
କୌଣସି ସ୍ୱେଚ୍ଛା ସେବି ସଙ୍ଗଠନ ଚାହିଁଲେ ଗୋ ଶାଳା ନିର୍ମାଣ କରିପାରିବେ । ଏଥିପାଇଁ ସରକାରୀ ଯୋଜନା ରହିଛି ଏବଂ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ । ସେହିପ୍ରତି ବ୍ଲକରେ ଗୋ ଶାଳା କରିବାକୁ ଯୋଜନାରେ ଆହୁରି ସରଳୀକରଣ କରାଯାଇଛି ।