କନ୍ଧମାଳ: କାଉଡ଼ିଆଙ୍କ ଧାର୍ମିକ ଯାତ୍ରାର ସୁଯୋଗ ନେଇ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ। ଶିବଙ୍କ ମୁଣ୍ଡରେ ପାଣି ଢାଳିବାକୁ ଯାଉଥିବା କାଉଡ଼ିଆଙ୍କ ଗାଡ଼ିରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରାଯାଉଥିଲା। ହେଲେ ପୁଲିସ ଆଖିରେ ଧୂଳି ଦେଇପାରିଲେନି ଚୋରାଚାଲାଣକାରୀ। ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ୬୦ କେଜି ଗଞ୍ଜେଇ ସହ ଏକ ଓମ୍ନି ଗାଡ଼ି ଜବତ କରିଛି ଫୁଲବାଣୀ ସଦର ପୁଲିସ। ଘଟଣାରେ ଉତ୍ତରପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାର ମହମ୍ମଦ ଅରବାଜ ଖାନ ଏବଂ ଗୋଣ୍ଡା ଜିଲ୍ଲାର କରାମତ ଅଲ୍ଲୀ। ପୁଲିସର ସୂଚନା ଅନୁସାରେ, ଉଭୟେ କାଉଡ଼ିଆଙ୍କ ସହ ଗାଡ଼ିରେ ଯାତ୍ରା କରୁଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିଲେ।
ସୂଚନା ମୁତାବକ, କାଉଡ଼ିଆମାନେ ଶିବଙ୍କ ମୁଣ୍ଡରେ ଜଳ ଢାଳିବା ପାଇଁ ଯାଉଥିବା ସମୟରେ ସେମାନଙ୍କ ସହ ଯାଉଥିବା ଏକ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଫୁଲବାଣୀ ସଦର ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା।
ସୂଚନା ପାଇବା ପରେ ଏସ୍ଆଇ ସମ୍ବିତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଅଭିଯାନ ଆରମ୍ଭ କରିଥିଲା। ସଦର ଥାନା ଅନ୍ତର୍ଗତ ବରପଦା ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୬୦ କେଜି ଗଞ୍ଜେଇ ଠାବ ହୋଇଥିଲା।
ଏହାପରେ ପୁଲିସ ଗଞ୍ଜେଇ ସହ ଗାଡ଼ିକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା। କାଉଡ଼ିଆଙ୍କ ଧାର୍ମିକ ଯାତ୍ରାକୁ ଆଡ଼ କରି ଏଭଳି ଭାବେ ଗଞ୍ଜେଇ ଚାଲାଣ ହେଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଏହି ଚୋରାଚାଲାଣ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଜବତ ଗଞ୍ଜେଇ କେଉଁଠାକୁ ଯାଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।