ଭୁବନେଶ୍ୱର : ଆଜି ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଜ୍ୟର ‘ଜେନ୍-ଜି’ (Gen-Z) ଓ ଯୁବସମାଜକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କିଛି ବାହ୍ୟ ଶକ୍ତି ଓ ଅଦୃଶ୍ୟ ଶତ୍ରୁ ଆଜିର ଡିଜିଟାଲ୍ ଯୁଗରେ ଆମ ଯୁବପିଢ଼ିକୁ ବିପଥଗାମୀ କରିବାକୁ ଚେଷ୍ଟା କରୁଛନ୍ତି। ଆହୁରି ମଧ୍ଯ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଓ ନିଶାଦ୍ରବ୍ୟ ଭଳି କୁପ୍ରଭାବରେ ‘ଜେନ୍-ଜି’ ଙ୍କୁ ସକ୍ରିୟ କରୁଛନ୍ତି । କିନ୍ତୁ
ସେହି ଅଦୃଶ୍ୟ କୁଚକ୍ରୀ ଶକ୍ତି କେବେହେଲେ ନିଜ ଉଦ୍ଦେଶ୍ୟରେ ସଫଳ ହେବେ ନାହିଁ ବୋଲି ସେ କହିଛନ୍ତି। ସେମାନଙ୍କ ମାୟାଜାଲରେ ନପଡ଼ି ଦେଶଭକ୍ତିକୁ ପ୍ରଥମ ସ୍ଥାନ ଦେବାକୁ ସେ ଯୁବପିଢିଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ଯମନ୍ତ୍ରୀ "ଯୁବଶକ୍ତିର ଏକ ହିଁ ସ୍ୱର — ସୁରକ୍ଷିତ ହେବ ଦେଶ ଆମର!" କହି ନାରା ମଧ୍ଯ ଦେଇଥିଲେ।
ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ମୁଖ୍ଯମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ - ୨୦୪୭’ ସଂକଳ୍ପରେ ଓଡ଼ିଶାର ଭୂମିକା ସବୁଠାରୁ ନିର୍ଣ୍ଣାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ରାଜ୍ୟର ଚାଷୀ, ଶ୍ରମିକ, ଯୁବକ ଓ ସ୍ୱାବଲମ୍ବୀ ମହିଳାଙ୍କ ଅବଦାନ ଯୋଗୁଁ ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିବ। ସ୍ୱାଧୀନତା ଦିବସ ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ଓ ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗୌରବର ସହ ସମ୍ମାନିତ କରିବାକୁ ମୁଖ୍ଯମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।
ଏହି ସମାରୋହରେ ଓଡ଼ିଶାର ଗୌରବ ତଥା ଆନ୍ତର୍ଜାତୀୟ ସ୍ତରର ଅନ୍ତରଙ୍ଗ କ୍ରୀଡ଼ାବିତ୍ ପ୍ରମୋଦ ଭଗତ, ଅନୁପମା ସ୍ୱାଇଁ, ସୁନୀଲ ପ୍ରଧାନ, ରବି କୁମାର ଏବଂ କମଳା କାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଯୁବସମାଜ ମଧ୍ୟରେ ଦେଶପ୍ରେମ ଓ ଉତ୍ସାହ ଭରିଦେଇଥିଲେ।