ଭୁବନେଶ୍ୱର: ଗ୍ୟାସ୍ ସରିଗଲା, ଏବେ ଆଉ ଅପେକ୍ଷା କରିବାକୁ ପଡ଼ିବନି। LPG ଗ୍ରାହକଙ୍କ ପାଇଁ ଇଣ୍ଡିଆନ୍ଅଏଲ୍ ଆଣିଛି ଏକ ନୂଆ ଓ ଦ୍ରୁତ ସେବା। ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ନାମରେ ଆରମ୍ଭ ହୋଇଥିବା ଏହି ସେବାରେ ବୁକିଂ କରିବାର ମାତ୍ର ୩ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ LPG ସିଲିଣ୍ଡର। ଅର୍ଥାତ୍ ସକାଳ ୬ଟାରେ ବୁକିଂ କଲେ ସକାଳ ୯ଟା ସୁଦ୍ଧା ଡେଲିଭରି ମିଳିବାର ସୁବିଧା ରହିଛି।
ଆଧୁନିକ ପରିବାର ଓ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ଏହି ନୂଆ ସେବା ଆରମ୍ଭ କରିଛି ଇଣ୍ଡିଆନ୍ଅଏଲ୍। ଏହି ସେବା ଅଧୀନରେ ମିଳିବ ୧୦ କିଲୋଗ୍ରାମର ହାଲୁକା ଓ ଜଙ୍ଗ ନଧରୁଥିବା କମ୍ପୋଜିଟ୍ LPG ସିଲିଣ୍ଡର। ପାରମ୍ପରିକ ଷ୍ଟିଲ୍ ସିଲିଣ୍ଡର ତୁଳନାରେ ଏହା ହାଲୁକା ହୋଇଥିବାରୁ ଏହାକୁ ଉଠାଇବା ଓ ଘର ଭିତରେ ସ୍ଥାନାନ୍ତର କରିବା ସହଜ ହେବ।
ଏହି ସିଲିଣ୍ଡରର ଆଉ ଏକ ବିଶେଷତା ହେଉଛି ଏହାର ପାରଦର୍ଶୀ ବଡି। ଫଳରେ ସିଲିଣ୍ଡର ଭିତରେ କେତେ ପରିମାଣର ଗ୍ୟାସ୍ ବାକି ଅଛି, ତାହା ଗ୍ରାହକମାନେ ସହଜରେ ଦେଖିପାରିବେ। ଏହା ସହିତ ସିଲିଣ୍ଡରଟି ଜଙ୍ଗମୁକ୍ତ ହୋଇଥିବାରୁ ଦୀର୍ଘ ସମୟ ବ୍ୟବହାରରେ ମଧ୍ୟ ଅଧିକ ସୁବିଧା ମିଳିବ ବୋଲି କମ୍ପାନୀ କହିଛି। ତିନି ଘଣ୍ଟାରେ ଡେଲିଭରି ଏହି ନୂଆ ସେବାର ସବୁଠାରୁ ବଡ଼ ଆକର୍ଷଣ। ଏହା ସହ ପସନ୍ଦର ସମୟରେ ସିଲିଣ୍ଡର ଯୋଗାଣ, କମ୍ ଦସ୍ତାବିଜ୍ରେ କନେକ୍ସନ୍, ଡିଜିଟାଲ୍ ବୁକିଂ ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଭଳି ସୁବିଧା ମଧ୍ୟ ରହିଛି।
କେମିତି କରିବେ ବୁକିଂ?
ଗ୍ରାହକମାନେ IndianOil ONE ଆପ୍, IndianOil Customer Portal କିମ୍ବା ହ୍ୱାଟ୍ସଆପ୍ ନମ୍ବର 7588888824 ଜରିଆରେ ନୂଆ LPG କନେକ୍ସନ୍ ଓ ରିଫିଲ୍ ବୁକିଂ କରିପାରିବେ।
ତେବେ ଏହି ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ସେବା ଇଣ୍ଡିଆନ୍ଅଏଲ୍ର ଚୟନିତ ଡିଲର ନେଟୱର୍କ ଓ ନିର୍ଦ୍ଦିଷ୍ଟ ରିଟେଲ୍ ଆଉଟ୍ଲେଟ୍ରେ ଉପଲବ୍ଧ ହେବ। ଅର୍ଥାତ୍, ସବୁ ସ୍ଥାନରେ ଏହି ସେବା ତୁରନ୍ତ ଉପଲବ୍ଧ ହୋଇନପାରେ। ନିଜ ଅଞ୍ଚଳରେ ସୁବିଧା ଉପଲବ୍ଧ କି ନାହିଁ, ଗ୍ରାହକମାନେ ବୁକିଂ ସମୟରେ ଯାଞ୍ଚ କରିପାରିବେ।
ଇଣ୍ଡିଆନ୍ଅଏଲ୍ର ଏହି ନୂଆ ପଦକ୍ଷେପ LPG ଡେଲିଭରିକୁ ଆହୁରି ଦ୍ରୁତ, ସହଜ ଓ ଗ୍ରାହକ-ଅନୁକୂଳ କରିବା ସହ ଦୈନନ୍ଦିନ ଜୀବନରେ ଗ୍ୟାସ୍ ରିଫିଲ୍ ପାଇଁ ଅପେକ୍ଷା ସମୟ କମାଇବ ବୋଲି ଆଶା କରାଯାଉଛି।