ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା ପାଇଁ ପାଣିପାଗ ବିଭାଗର ତାଜା ଆଲର୍ଟ। ଆସନ୍ତା ୧ରୁ ୨ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଜି ଦିନ ୧ଟାରେ ନୋକାଷ୍ଟ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
IMDର ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ହଠାତ୍ ବର୍ଷା ସହ ବଜ୍ରପାତ ହୋଇପାରେ। ବିଶେଷକରି ଭୁବନେଶ୍ୱର ସହରବାସୀଙ୍କୁ ପାଣିପାଗର ପରିବର୍ତ୍ତନ ଉପରେ ନଜର ରଖିବାକୁ କୁହାଯାଇଛି। ବର୍ଷା ଓ ବଜ୍ରପାତ ସମୟରେ ଅନାବଶ୍ୟକ ଭାବେ ବାହାରକୁ ନଯିବା ସହ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ପରିସ୍ଥିତି ଅଧିକ ଖରାପ ହେଲେ ସୁରକ୍ଷିତ ସ୍ଥାନରେ ରହିବାକୁ ମଧ୍ୟ କୁହାଯାଇଛି।
ଅନ୍ୟପଟେ, ବଙ୍ଗୋପସାଗରରେ ସକ୍ରିୟ ଥିବା ଦୁଇଟି ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ଏହାର ପ୍ରଭାବରେ ଆଗାମୀ ସମୟରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବର୍ଷା ଓ ବଜ୍ରପାତ ଜାରି ରହିପାରେ। ତେଣୁ ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱରବାସୀଙ୍କୁ ଏବେଠାରୁ ସତର୍କ ରହିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।