ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ ବର୍ଷା ଲାଗି ରହିବାର ଆକଳନ କରାଯାଇଛି ।
ଆସନ୍ତାକାଲି ୯ ତାରିଖ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଅରେଞ୍ଜ ଆଲର୍ଟ ରହିଛି । ସେହିପରି ଅନ୍ୟ ୨୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷାର ପରିମାଣ ୧୨ ସେଣ୍ଟିମିଟରରୁ ୨୦ ସେମି ରହିବାର ପୂର୍ବାନୁମାନ କରାଯାଇଛି । ଏହି ବିଜୁଳି ଘଡ଼ଘଡ଼ି ମାରିବା ସହିତ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । ଆସନ୍ତା ୧୦ ତାରିଖ ପାଇଁ ପ୍ରବଳ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ । ଆସନ୍ତା ୧୩ ତାରିଖ ଯାଏ ଏହି ସମସ୍ତ ଜିଲ୍ଲାମାନଙ୍କରେ ଏଭଳି ସ୍ଥିତି ରହିବ । ଏହା ପରେ ୧୪ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ।
ସେପଟେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ସର୍ବାଧିକ ୧୨୪.୬ ମିମି ବର୍ଷା ରେକର୍ଡ ହୋଇଛି। ୨୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ୧୧୫ ମିମି, କେନ୍ଦ୍ରାପଡ଼ା ସହରରେ ୧୧୦ ମିମି, ଡେରାବିଶରେ ୧୦୮ ମିମି ଏବଂ ରାଜକନିକାରେ ୧୦୨ ମିମି ବର୍ଷା ହୋଇଛି । ନବରଙ୍ଗପୁର ସହରରେ ୧୦୧.୨ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଦେବଗଡ଼ର ରିଆମାଳରେ ୯୩.୨ ମିମି, କେନ୍ଦୁଝରର ଘସିପୁରାରେ ୯୦.୨ ମିମି, ସମ୍ବଲପୁରର ବାଟଗାଁରେ ୮୫ ମିମି ଏବଂ ନାକଟିଦେଉଳରେ ୮୨ ମିମି ବର୍ଷା ହୋଇଛି। ପୁରୀ ସହରରେ ମଧ୍ୟ ୮୦.୩ ମିମି ବର୍ଷା ରେକର୍ଡ ହୋଇଛି ।