ଯାଜପୁର: ଯାତ୍ରା ମଞ୍ଚରେ ଚେୟାର ମାଡ଼ ହୋଇଛି । ଯାଜପୁର ରୋଡ୍ ଥାନା ଚାନ୍ଦମା କାଳୀ ପଡ଼ିଆରେ ଅପେରା ଯାଜ୍ଞସେନୀର ପ୍ରସିଦ୍ଧ ନାଟକ ‘ସନାତନୀ’ ମଞ୍ଚସ୍ଥ ହେଉଥିବାବେଳେ ଏକ ଦୃଶ୍ୟରେ ଉତ୍ତେଜିତ ହୋଇ ଦର୍ଶକ ଚେୟାର ପିଙ୍ଗିଛନ୍ତି । ଫଳରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ତମସା ମିଶ୍ର ଆହତ ହୋଇଛନ୍ତି ।
ଗତକାଲି ରାତିରେ ଚାନ୍ଦମା କାଳୀ ପଡ଼ିଆରେ ଅପେରା ଯାଜ୍ଞସେନୀର ସନାତନୀ ନାଟକ ଚାଲିଥିଲା । ନାଟକର ଏକ ଦୃଶ୍ୟକୁ ନେଇ କିଛି ଦର୍ଶକ ରାଗିଯାଇଥିଲେ। ଅନ୍ୟ ଧର୍ମ ଦ୍ୱାରା ଗଳା କାଟିବା ଦୃଶ୍ୟକୁ ନେଇ ଉତ୍ତେଜିତ ହୋଇପଡ଼ିଥିଲେ ଦର୍ଶକ । ଏହା ପରେ ମଞ୍ଚ ଉପରକୁ ଲଗାତର ଚେୟାର ଫିଙ୍ଗିଥିଲେ । କିଛି ଯୁବକ ମଞ୍ଚ ଉପରକୁ ଆସି ହୋହାଲ୍ଲା କରିଥିଲେ ।
ଏହାରି ମଧ୍ୟରେ ଅଭିନେତ୍ରୀ ତମସାଙ୍କ ହାତରେ ଏକ ଚେୟାର ବାଜିଥିଲା । ଫଳରେ ସେ ଆହତ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯାତ୍ରା କମିଟି ସଦସ୍ୟ ଏବଂ କଳାକାରମାନେ ଦର୍ଶକଙ୍କୁ ଶାନ୍ତ ରହିବାକୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।