ଭୁବନେଶ୍ୱର : ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳତା ଅଭିଯୋଗକୁ ଖଣ୍ଡନ କଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ ସରକାର ଚାଷୀଙ୍କ ସହ ଅଛନ୍ତି । ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫ହଜାର ୯୩ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ସେଥି ମଧ୍ୟରୁ ୩ ହଜାର ୧୦୮ ଜଣଙ୍କର ଆଗ୍ରିଷ୍ଟେକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ରହିଛି । ପଞ୍ଜିକରଣରେ ଆଗ୍ରିଷ୍ଟେକ୍ ଆଇଡିର କୌଣସି ବି ଆବଶ୍ୟକତା ନାହିଁ । ବିନା ଆଗ୍ରିଷ୍ଟେକ୍ ଆଇଡିରେ ମଧ୍ୟ ଚାଷୀମାନେ ପଞ୍ଜିକରଣ କରିପାରିବେ । ଏହି ଆଗ୍ରିଷ୍ଟେକ୍ ଆଇଡି ଧାନ ଟୋକନ ସଂଗ୍ରହ ପୂର୍ବରୁ କୃଷି ବିଭାଗର ଆବଶ୍ୟକ ହୋଇଥାଏ । ସେମିତି କାର୍ଯ୍ୟାଳୟରେ ପଞ୍ଜିକରଣ ସମୟରେ ଚାଷୀ ଆଗ୍ରିଷ୍ଟେକ୍ ଆଇଡି ରେଜିଷ୍ଟର କରିପାରିବେ ।
ମଧ୍ଯ ଆହୁରି ମଧ୍ୟ କହିଛନ୍ତି , ଜମି ପଟ୍ଟାର ରେଜିଷ୍ଟ୍ରୀ ଦେଲେ ଦୁଇ ଦିନ ଭିତରେ ଆଇଡି ମିଳିଯିବ। ଭାଗ ଚାଷୀଙ୍କ ପାଇଁ ମଧ୍ୟ କୌଣସି ଜଟିଳତା ନାହିଁ । ଆବଶ୍ୟକ କାଗଜ ପାତ୍ର ଦାଖଲ କଲେ ପଞ୍ଜୀକରଣ କରିପାରିବେ। ମାଲିକଙ୍କ ଉପସ୍ଥିତି ନ ଥିଲେ ମଧ୍ୟ ସରକାର ଏକ ଆପ୍ଲିକେସନ୍ ଆଣୁଛନ୍ତି । ଏହି ଆପ ମାଧ୍ୟମରେ ମାଲିକ ନିଜ ଅନୁମତି ରଖିପାରିବେ । ଯେଉଁମାନେ ଆସିପାରିବେ ନାହିଁ ସେମାନେ ଏହି ଆପ ଜରିଆରେ ନିଜର ସହମତି ଜଣାଇପାରିବେ। ଧାନ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ରହିଛି । ଆବଶ୍ୟକ ହେଲେ ଏହାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।