ସୁନ୍ଦରଗଡ଼: ହଷ୍ଟେଲ ଭିତରେ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। ସୁନ୍ଦରଗଡ଼ ଜିଲ୍ଲା ବାବୁଡିହିସ୍ଥିତ ନ୍ୟୁ ଓଡ଼ିଶା ହାୟର ସେକେଣ୍ଡାରୀ ସ୍କୁଲ୍ର ଛାତ୍ରୀ ହଷ୍ଟେଲରୁ ଜଣେ ନାବାଳିକା ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ରାଜଗାଙ୍ଗପୁର ଅଞ୍ଚଳର ଏବଂ ଏକାଦଶ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗୁରୁବାର ଦିନ ଅପରାହ୍ନରେ ହଷ୍ଟେଲର ଅନ୍ୟ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ଡାଇନିଂ ହଲ୍କୁ ଯାଇଥିଲେ। ତେବେ ଛାତ୍ରୀ ଜଣକ ନିଜ ରୁମ୍ରେ ରହିଯାଇଥିଲେ। ଖାଇବା ପରେ ଅନ୍ୟ ଛାତ୍ରୀମାନେ ରୁମ୍କୁ ଫେରିବା ପରେ ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ।
ଏହାପରେ ହଷ୍ଟେଲରେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ତଳସରା ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଫରେନସିକ୍ ଟିମ୍ ମଧ୍ୟ ତଦନ୍ତ କରିଛି।
ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।