ବାଲେଶ୍ୱର: ବର୍ଷା ଦିନରେ ସାଲନ୍ଦୀ କେନାଲ କୂଳରେ ଘଟିଗଲା ଅଘଟଣ। ବୁଲିବାକୁ ଯାଇ କେନାଲରେ ଖସିପଡ଼ି ଜଣେ ୮ ବର୍ଷୀୟ ଶିଶୁର ଜୀବନ ଚାଲିଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ବାରିସାହି ଅଞ୍ଚଳରେ ଘଟିଥିବା ଏହି ଦୁଃଖଦ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।
ମୃତ ଶିଶୁ ଜଣକ ହେଉଛନ୍ତି ସାନହତା ଗାଁର ରାହୁଲ। ସୂଚନା ଅନୁସାରେ, ରାହୁଲ ଦୁଇଜଣ ସମ୍ପର୍କୀୟଙ୍କ ସହ ସାଲନ୍ଦୀ କେନାଲ କୂଳରେ ବୁଲିବାକୁ ଯାଇଥିଲେ। ଏହି ସମୟରେ କେନାଲ କୂଳରେ ଚାଲିଥିବା କାମ ଏବଂ ବର୍ଷା ଯୋଗୁଁ ମାଟି ଓ ବନ୍ଧ ଅଞ୍ଚଳ ଅତ୍ୟନ୍ତ ଖସଡ଼ା ହୋଇଥିଲା।
ଅସାବଧାନତାବଶତଃ ରାହୁଲଙ୍କ ଗୋଡ଼ ଖସିଯିବାରୁ ସେ ସିଧା କେନାଲ ଭିତରକୁ ପଡ଼ିଯାଇଥିଲେ। ରାହୁଲ ପାଣିରେ ବୁଡ଼ିଯାଉଥିବା ଦେଖି ତାଙ୍କ ସହ ଥିବା ଦୁଇ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଗଭୀର ପାଣି ଯୋଗୁଁ ସେମାନେ ରାହୁଲଙ୍କୁ ଉଦ୍ଧାର କରିପାରିନଥିଲେ।
ପରେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଫାୟାର ସର୍ଭିସ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କେନାଲରେ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ପ୍ରାୟ ଏକ ଘଣ୍ଟାର ଖୋଜାଖୋଜି ପରେ ରାହୁଲଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଥିଲା।ତାଙ୍କୁ ତୁରନ୍ତ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ରାହୁଲଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ସାନହତା ଗାଁ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି। ବର୍ଷା ସମୟରେ କେନାଲ ଓ ନଦୀକୂଳ ଅଞ୍ଚଳରେ ପିଲାମାନଙ୍କୁ ନେଇ ଯିବା ସମୟରେ ଅଧିକ ସତର୍କତା ଅବଲମ୍ବନ ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।