ନୂଆଦିଲ୍ଲୀ: ୧୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇ ଆକ୍ରମଣ କରିବାର କ୍ଷମତା ରଖୁଥିବା ଭାରତର ‘କାଳ’ (Kaal) ଡ୍ରୋନ୍ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଚୀନ୍, ତୁର୍କୀ, ଇରାନ କିମ୍ବା ଇସ୍ରାଏଲ୍—ଏହି ସମସ୍ତ ଦେଶ ନିଜର ଡ୍ରୋନ୍ ଶକ୍ତିକୁ ଦ୍ରୁତ ଗତିରେ ବୃଦ୍ଧି କରୁଛନ୍ତି। ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ କେଉଁ ଦେଶ ପାଖରେ ରହିଛି ଏବଂ ଭାରତର ନୂଆ ଡ୍ରୋନ୍ ‘କାଳ’ କିପରି ହଜାର ହଜାର କିଲୋମିଟର ଦୂରରେ ବସିଥିବା ଶତ୍ରୁକୁ ଧ୍ୱଂସ କରିପାରିବ।
ଭାରତର ‘କାଳ’ ଡ୍ରୋନ୍କୁ ଏକ ଘରୋଇ କମ୍ପାନୀ (IG Drones) ବିକଶିତ କରିଛି। ଏହା ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଯାଇ ଆକ୍ରମଣ କରିବାକୁ ସକ୍ଷମ। ୨ କ୍ୱିଣ୍ଟାଲ୍ (୨୦୦ କିଲୋଗ୍ରାମ୍) ପେଲୋଡ୍ କିମ୍ବା ବିସ୍ଫୋରକ ନେଇ ଏହା ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ। ଯଦିଓ ଏହାକୁ ଏପର୍ଯ୍ୟନ୍ତ ଭାରତୀୟ ସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇ ନାହିଁ, ତଥାପି ପ୍ରତିରକ୍ଷା କ୍ଷେତ୍ରରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।
ପ୍ରକୃତରେ ଆଧୁନିକ ଯୁଦ୍ଧ କୌଶଳ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଏବେ କେବଳ ଟ୍ୟାଙ୍କ, ତୋପ, ଲଢ଼ୁଆ ବିମାନ ଏବଂ ମିସାଇଲ୍ ଦ୍ୱାରା ଯୁଦ୍ଧ ଲଢ଼ାଯାଉନାହିଁ; ଡ୍ରୋନ୍ ମଧ୍ୟ ଯୁଦ୍ଧର ଏକ ବଡ଼ ଅସ୍ତ୍ର ପାଲଟିଛି। ଏଗୁଡ଼ିକ ଶତ୍ରୁ ଉପରେ ନଜର ରଖନ୍ତି, ଲାଇଭ୍ ଫଟୋ ଓ ଭିଡିଓ ପଠାନ୍ତି, ମିସାଇଲ୍ ମାଡ଼ କରନ୍ତି ଏବଂ କେତେକ ଡ୍ରୋନ୍ ସିଧାସଳଖ ଲକ୍ଷ୍ୟସ୍ଥଳ ସହ ଧକ୍କା ହୋଇ ବିସ୍ଫୋରଣ ଘଟାନ୍ତି। ଏପରି ଡ୍ରୋନ୍କୁ ‘ୱାନ୍-ୱେ ଆଟାକ୍ ଡ୍ରୋନ୍’ (One-Way Attack Drone) କୁହାଯାଏ।
ଡ୍ରୋନ୍ ଯୁଦ୍ଧ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?
ଡ୍ରୋନ୍ ଯୁଦ୍ଧକୁ ସସ୍ତା, ଦ୍ରୁତ ଏବଂ କମ୍ ବିପଦପୂର୍ଣ୍ଣ ବିକଳ୍ପରେ ପରିଣତ କରେ। କୌଣସି ଲଢ଼ୁଆ ବିମାନ ପଠାଇବାରେ ବହୁତ ଅଧିକ ଖର୍ଚ୍ଚ ହୋଇଥାଏ ଏବଂ ସେଥିରେ ତାଲିମପ୍ରାପ୍ତ ପାଇଲଟ୍ଙ୍କ ଜୀବନ ମଧ୍ୟ ବାଜିରେ ଥାଏ। ଏହା ତୁଳନାରେ ଡ୍ରୋନ୍ଗୁଡ଼ିକୁ ବହୁତ କମ୍ ଖର୍ଚ୍ଚରେ ପଠାଯାଇପାରିବ। ଡ୍ରୋନ୍ ଦୀର୍ଘ ସମୟ ଧରି ଶତ୍ରୁ ଉପରେ ଘୁରି ବୁଲିପାରିବ, ଲକ୍ଷ୍ୟ ଖୋଜିପାରିବ ଏବଂ କମାଣ୍ଡ ସେଣ୍ଟରକୁ ଲାଇଭ୍ ଭିଡିଓ ପଠାଇପାରିବ। ଉଚିତ୍ ସମୟ ମିଳିଲେ ସଠିକ୍ ଆକ୍ରମଣ କରିପାରିବ। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂଘର୍ଷ ପ୍ରମାଣିତ କରିଛି ଯେ ସସ୍ତା ଡ୍ରୋନ୍ ମଧ୍ୟ ଅତ୍ୟନ୍ତ ମହଙ୍ଗା ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିପାରିବ। ରୋଡାର, ଗୋଳାବାରୁଦ ଡିପୋ, ତେଲ ଭଣ୍ଡାର, କମାଣ୍ଡ ପୋଷ୍ଟ ଏବଂ ସାମରିକ ଗାଡ଼ିଗୁଡ଼ିକୁ ଡ୍ରୋନ୍ ଦ୍ୱାରା ନିଶାନା କରାଯାଇଛି।
ଆମେରିକା: ସବୁଠାରୁ ହାଇଟେକ୍ ଡ୍ରୋନ୍ ପାୱାର
ସାମରିକ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ଆମେରିକାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ଗ୍ରହଣ କରାଯାଏ। ଏହାର ସେନ୍ସର୍ କ୍ଷମତା, ହାଇ-ରିଜୋଲ୍ୟୁସନ୍ କ୍ୟାମେରା, ଥର୍ମାଲ୍ ସେନ୍ସର୍ ଏବଂ ସାଟେଲାଇଟ୍ କମ୍ୟୁନିକେସନ୍ ସିଷ୍ଟମ୍ ଅତ୍ୟନ୍ତ ଉଚ୍ଚକୋଟୀର।
• MQ-9 Reaper (ରିପର୍): ବର୍ତ୍ତମାନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ ଆମେରିକା ପାଖରେ ରହିଛି, ଯାହାର ନାମ MQ-9 Reaper।
• ଆମେରିକୀୟ ଅପରେଟର୍ମାନେ ହଜାର ହଜାର କିଲୋମିଟର ଦୂରରେ ବସି ସାଟେଲାଇଟ୍ ମାଧ୍ୟମରେ ନିଜ ଡ୍ରୋନ୍କୁ ନିୟନ୍ତ୍ରଣ କରିପାରନ୍ତି। ଆମେରିକାର ଶକ୍ତି କେବଳ ଗୋଟିଏ ଡ୍ରୋନ୍ରେ ସୀମିତ ନୁହେଁ, ଏହାର ଉପଗ୍ରହ, ଲଢ଼ୁଆ ବିମାନ, ମିସାଇଲ୍, ଜାସୁସୀ ନେଟୱାର୍କ ଓ ନୌସେନା ପ୍ଲାଟଫର୍ମର ଏକ ବଡ଼ ନେଟୱାର୍କ ରହିଛି ଯାହା ଏହାର ଡ୍ରୋନ୍କୁ ଅଧିକ ପ୍ରଭାବଶାଳୀ କରିଥାଏ।
ଚୀନ୍: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଡ୍ରୋନ୍ ମହାଶକ୍ତି
ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି। ଚୀନ୍ ଡ୍ରୋନ୍ ରପ୍ତାନି ମଧ୍ୟ କରୁଛି। ଏହାର ବଡ଼ ଡ୍ରୋନ୍ଗୁଡ଼ିକ ଦୀର୍ଘ ଉଡ଼ାଣ, ନଜର ରଖିବା ଏବଂ ଅସ୍ତ୍ରଶସ୍ତ୍ର ବୋହିନେବାର କ୍ଷମତା ରଖନ୍ତି। ଚୀନ୍ର ମୁଖ୍ୟ ଫୋକସ୍ ‘ସ୍ୱାର୍ମ ଡ୍ରୋନ୍ ପ୍ରଯୁକ୍ତି’ (Swarm Drone Technology) ଉପରେ ରହିଛି। ଏହାର ଅର୍ଥ ହେଉଛି ଶହ ଶହ ଡ୍ରୋନ୍ ଏକାସାଙ୍ଗରେ ମିଶି ଦଳଗତ ଭାବେ ଆକ୍ରମଣ କରିବେ। ଏପରି ଆକ୍ରମଣକୁ ରୋକିବା ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମ୍ ପାଇଁ ପ୍ରତିବନ୍ଧକ ସାଜିଥାଏ।
ତୁର୍କୀ: ଯୁଦ୍ଧକ୍ଷେତ୍ରରେ ପ୍ରମାଣିତ ଶକ୍ତି
ତୁର୍କୀର Bayraktar TB2 ଭଳି ସଶସ୍ତ୍ର ଡ୍ରୋନ୍ ବିଶ୍ୱବ୍ୟାପୀ ନିଜର ପରିଚୟ ସୃଷ୍ଟି କରିଛି। କମ୍ ଖର୍ଚ୍ଚରେ ଅଧିକ କାର୍ଯ୍ୟକ୍ଷମ ଡ୍ରୋନ୍ ପ୍ରସ୍ତୁତ କରିବାରେ ତୁର୍କୀ ସଫଳତା ହାସଲ କରିଛି। ଏହା ଡ୍ରୋନ୍କୁ କେବଳ ଏକ ଆକାଶମାର୍ଗର ମଞ୍ଚ ନଭାବି, ତୋପଖାନା, ସ୍ଥଳସେନା ଓ ଗୁପ୍ତଚର ସଂସ୍ଥା ସହ ଯୋଡ଼ିପାରିଛି, ଯାହା ଆଧୁନିକ ଯୁଦ୍ଧର ପ୍ରକୃତ ଆବଶ୍ୟକତା।
ଇସ୍ରାଏଲ୍: ନଜର ଓ ସଠିକ୍ ଆକ୍ରମଣର ବିଶେଷଜ୍ଞ
ଇସ୍ରାଏଲ୍ ଦୀର୍ଘ ଦିନରୁ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଣୀ ରହିଛି। ଏହାର ସେନ୍ସର୍, କ୍ୟାମେରା, ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଏବଂ ‘ଲୋଇଟରିଂ ମ୍ୟୁନିସନ୍’ (Loitering Munition) ବା ଆକାଶରେ ଘୁରି ବୁଲି ଆକ୍ରମଣ କରୁଥିବା ଅସ୍ତ୍ର କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଛି। ଏଗୁଡ଼ିକ ଲକ୍ଷ୍ୟସୁଚୀ ପାଇବା ମାତ୍ରେ ନିଜେ ଧକ୍କା ହୋଇ ନଷ୍ଟ କରିଦିଅନ୍ତି। ଭାରତ ମଧ୍ୟ ଇସ୍ରାଏଲୀୟ ମୂଳର କେତେକ ଡ୍ରୋନ୍ ବ୍ୟବହାର କରେ।
ଇରାନ: କମ୍ ଖର୍ଚ୍ଚର ସାଂଘାତିକ ଡ୍ରୋନ୍
ଇରାନର ‘ଶାହେଦ୍’ (Shahed) ସିରିଜ୍ର ଡ୍ରୋନ୍ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏଗୁଡ଼ିକ ବହୁତ ମହଙ୍ଗା ନୁହଁନ୍ତି, କିନ୍ତୁ ଅଧିକ ସଂଖ୍ୟାରେ ପଠାଯାଇ ଶତ୍ରୁର ଏୟାର ଡିଫେନ୍ସ ଉପରେ ଚାପ ପକାଇବାରେ ସକ୍ଷମ। ଯଦି ଏକ ସସ୍ତା ଡ୍ରୋନ୍କୁ ରୋକିବା ପାଇଁ ଅତ୍ୟନ୍ତ ମହଙ୍ଗା ମିସାଇଲ୍ ବ୍ୟବହାର କରିବାକୁ ପଡ଼େ, ତେବେ ତାହା ଶତ୍ରୁ ପାଇଁ ଆର୍ଥିକ କ୍ଷତି ପହଞ୍ଚାଏ।
ରୁଷ ଓ ୟୁକ୍ରେନ୍: ଡ୍ରୋନ୍ ଯୁଦ୍ଧର ନୂଆ ପ୍ରୟୋଗଶାଳା
ରୁଷ-ୟୁକ୍ରେନ୍ ଯୁଦ୍ଧ ଡ୍ରୋନ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏଠାରେ ସାନ FPV (First Person View) ଡ୍ରୋନ୍ଠାରୁ ଆରମ୍ଭ କରି ଦୂରଗାମୀ ଡ୍ରୋନ୍ ବହୁଳ ଭାବେ ବ୍ୟବହୃତ ହେଉଛି, ଯାହା ଟ୍ୟାଙ୍କ, ବଙ୍କର୍, ଗାଡ଼ି ଓ ସୈନ୍ୟ ଠିକଣାକୁ ନଷ୍ଟ କରୁଛି।
ଭାରତର 'କାଳ' (Kaal) ଡ୍ରୋନ୍ କ'ଣ?
'କାଳ' ହେଉଛି ଏକ ସ୍ୱଦେଶୀ, ଦୂରଗାମୀ, ୱାନ୍-ୱେ ଆଟାକ୍ ଡ୍ରୋନ୍। ଏହାର ମୂଳ ଲକ୍ଷ୍ୟ ହେଉଛି ଶତ୍ରୁ ସୀମା ଭିତରକୁ ଗଭୀର ଭାବେ ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ଠିକଣାଗୁଡ଼ିକୁ ଆକ୍ରମଣ କରିବା। ଏହା ଆକ୍ରମଣ ପରେ ଫେରିବା ପାଇଁ ତିଆରି ହୋଇନାହିଁ।
• ସୀମା: ପ୍ରାୟ ୧୦୦୦ କିଲୋମିଟର।
• ଉଡ଼ାଣ ସମୟ: ୭ରୁ ୮ ଘଣ୍ଟା।
• ପେଲୋଡ୍: ୨୦୦ କିଲୋଗ୍ରାମ୍ ବିସ୍ଫୋରକ।
• ବିଶେଷତ୍ୱ: ଅତ୍ୟାଧୁନିକ କ୍ୟାମେରା, ଥର୍ମାଲ୍ ସେନ୍ସର୍, ଏନ୍କ୍ରିପ୍ଟେଡ୍ ଡାଟା ଲିଙ୍କ୍ ଏବଂ ନେଭିଗେସନ୍ ସିଷ୍ଟମ୍।
ଏହା ଭାରତ ପାଇଁ କାହିଁକି ସ୍ୱତନ୍ତ୍ର?
ଭାରତର ଦୁଇଟି ସମ୍ବେଦନଶୀଳ ସୀମା ରହିଛି—ପଶ୍ଚିମରେ ପାକିସ୍ତାନ ଏବଂ ଉତ୍ତର-ପୂର୍ବରେ ଚୀନ୍। ଏହିପରି ପାହାଡ଼ିଆ ଓ କଠିନ ଭୌଗୋଳିକ ପରିବେଶରେ ‘କାଳ’ ଡ୍ରୋନ୍ ଭାରତୀୟ ସେନାକୁ ଏକ ନୂଆ ବିକଳ୍ପ ଦେବ। ଏହା ଶତ୍ରୁର ରୋଡାର, ସଞ୍ଚାର କେନ୍ଦ୍ର, ଗୋଳାବାରୁଦ ଡିପୋ, ବଙ୍କର୍ କିମ୍ବା କମାଣ୍ଡ ପୋଷ୍ଟ ଉପରେ ସଠିକ୍ ପ୍ରହାର କରିପାରିବ, ଯାହା ଦ୍ୱାରା ପ୍ରାରମ୍ଭିକ ଯୁଦ୍ଧରେ ଲଢ଼ୁଆ ବିମାନ ଓ ପାଇଲଟ୍ଙ୍କ ଜୀବନ ବାଜିରେ ଲଗାଇବାକୁ ପଡ଼ିବ ନାହିଁ।
ପ୍ରଯୁକ୍ତିବିଦ୍ୟା ହିଁ ହେବ ଅସଲ ପରୀକ୍ଷା
୧୦୦୦ କିଲୋମିଟରର ରେଞ୍ଜ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କେବଳ ରେଞ୍ଜ ଦ୍ୱାରା କୌଣସି ଡ୍ରୋନ୍ ଶକ୍ତିଶାଳୀ ହୋଇପାରିବ ନାହିଁ। GPS ଜାମିଂ ସତ୍ତ୍ୱେ ରାସ୍ତା ନଭୁଲିବା, ଶତ୍ରୁର ଇଲେକ୍ଟ୍ରୋନିକ୍ ଆକ୍ରମଣରୁ ବଞ୍ଚିବା, ସଠିକ୍ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ସୁରକ୍ଷିତ ଡାଟା ଲିଙ୍କ୍ ବଜାୟ ରଖିବା ଉପରେ ଏହାର ପ୍ରକୃତ ସଫଳତା ନିର୍ଭର କରିବ।