ଢାକା: ବାଂଲାଦେଶର ପୂର୍ବତନ ଅଧିନାୟକ ଏବଂ ବିଖ୍ୟାତ ଅଲରାଉଣ୍ଡର ଶାକିବ୍ ଅଲ୍ ହାସନ୍ଙ୍କୁ ଟାର୍ଗେଟ୍ କରାଯାଇଛି। ମାଗୁରା ସହରରେ ଥିବା ତାଙ୍କର ପୈତୃକ ଘର ଉପରେ କିଛି ଦୁର୍ବୃତ୍ତ ପେଟ୍ରୋଲ୍ ବମ୍ ମାଡ଼ କରିବା ସହ ବ୍ୟାପକ ଭଙ୍ଗାଜରୁା କରିଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଏକ ଭର୍ଚୁଆଲ୍ ପ୍ରେସ୍ କନ୍ଫରେନ୍ସରେ ଶାକିବ୍ ଯୋଗଦେବାର ମାତ୍ର କିଛି ଘଣ୍ଟା ପରେ ଏହି କାଣ୍ଡ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ବାଂଲାଦେଶର ସ୍ଥାନୀୟ ସମୟ ଅନୁସାରେ ବୁଧବାରରାତି ପ୍ରାୟ ୮:୪୫ ମିନିଟ୍ ସମୟରେ ଏହି ଆକ୍ରମଣ ହୋଇଛି। ମାଗୁରା ସହରର କେଶବମୋଡ଼ ଅଞ୍ଚଳରେ ଥିବା ଶାକିବ୍ଙ୍କ ଘରକୁ କିଛି ଅଜ୍ଞାତ ଉପଦ୍ରବୀ ଆକ୍ରମଣ କରିଥିଲେ। ପ୍ରଥମେ ଘର ଉପରକୁ ପଥର ଓ ଇଟା ପକାଇ ଝରକା ଏବଂ କାଚ ଭଙ୍ଗାଯାଇଥିଲା। ଏହାପରେ ଘରେ ନିଆଁ ଲଗାଇବା ଉଦ୍ଦେଶ୍ୟରେ ଜାଳେଣି ବା ପେଟ୍ରୋଲ୍ ବମ୍ ପକାଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ଓ ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଶେଖ୍ ହାସିନାଙ୍କ ପ୍ରେସ୍ କନ୍ଫରେନ୍ସ ଏବଂ ଲିଙ୍କ୍
ଏହି ଆକ୍ରମଣର ମୁଖ୍ୟ କାରଣ ଶେଖ୍ ହାସିନାଙ୍କ ସହ ଶାକିବ୍ଙ୍କର ସଂପୃକ୍ତି ବୋଲି ଅନୁମାନ କରାଯାଉଛି। ନୂଆଦିଲ୍ଲୀର ଫରେନ୍ କୋରସ୍ପୋଣ୍ଡେଣ୍ଟ୍ସ କ୍ଲବ୍ (FCC) ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଶେଖ୍ ହାସିନା ଯୋଗଦେଇଥିଲେ। ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ବାଂଲାଦେଶର ଆୱାମୀ ଲିଗ୍ର ପୂର୍ବତନ ଏମ୍ପି ତଥା କ୍ରିକେଟର ଶାକିବ୍ ଅଲ୍ ହାସନ୍ ମଧ୍ୟ ସାମିଲ୍ ହୋଇଥିଲେ। ଏହାପରେ ହିଁ ଦେଶ ଭିତରେ ଉତ୍ତେଜନା ବଢ଼ିଯାଇଥିବା ଦେଖିବାକୁ ମିଳିଛି।
ଆୱାମୀ ଲିଗ୍ର କଡ଼ା ପ୍ରତିକ୍ରିୟା
ଏହି ଘଟଣାକୁ ନେଇ ଶେଖ୍ ହାସିନାଙ୍କ ଦଳ 'ଆୱାମୀ ଲିଗ୍' ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ କଡ଼ା ନିନ୍ଦା କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, “ଆୱାମୀ ଲିଗ୍ ପ୍ରେସ୍ କନ୍ଫରେନ୍ସରେ ଯୋଗଦେବାର ଏହା ହେଉଛି ମୂଲ୍ୟ। ଦେଶରେ ନବ-ଫାସିବାଦ କାୟା ବିସ୍ତାର କରିଛି।” ଦଳ ଏହାକୁ ଏକ ପୂର୍ବପରିକଳ୍ପିତ ଆକ୍ରମଣ ବୋଲି ଦର୍ଶାଇବା ସହ କର୍ମୀଙ୍କ ବିରୋଧରେ ଚାଲିଥିବା ହିଂସାଜନକ ଅଭିଯାନର ଆଉ ଏକ ରୂପ ବୋଲି ଅଭିଯୋଗ କରିଛି।