ଶେଖ୍ ହସିନା ୫ ଅଗଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଛାଡ଼ିଥିଲେ। ସେହି ଦିନ ପ୍ରବଳ ଛାତ୍ର ଆନ୍ଦୋଳନ ଏବଂ ହିଂସାତ୍ମକ ପ୍ରଦର୍ଶନ ପରେ ତାଙ୍କୁ ହଠାତ୍ ଦେଶ ଛାଡ଼ିବାକୁ ପଡ଼ିଥିଲା।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭର୍ଚୁଆଲ୍ ମାଧ୍ୟମରେ ଭାରତରୁ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବାଂଲାଦେଶ ଆୱାମୀ ଲିଗ୍ର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଏବଂ ତାଙ୍କ ପୁଅ ସଜୀବ ୱାଜେଦ୍ ମଧ୍ୟ ବ୍ୟକ୍ତିଗତ ଭାବେ ଓ ଭର୍ଚୁଆଲ୍ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। ଏହି ସମୟରେ ସଜୀବ ୱାଜେଦ୍ ନିଜ ସମ୍ବୋଧନରେ ଘୋଷଣା କରିଛନ୍ତି ଯେ ଶେଖ୍ ହସିନା ବାଂଲାଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
ସଜୀବ ୱାଜେଦଙ୍କ ପୂର୍ବରୁ ଆଡ୍ଭୋକେଟ୍ ଶାହ ମହମ୍ମଦ ବଖ୍ତିୟାର୍ ମହମ୍ମଦ ୟୁନୁସଙ୍କ ପୂର୍ବ ଶାସନକାଳର କଡ଼ା ସମାଲୋଚନା କରିଥିଲେ। ସେ ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଦ୍ୱାରା ଶେଖ୍ ହସିନାଙ୍କ 'ଫର୍ଜି' (ମିଥ୍ୟା) ମୋକଦ୍ଦମାର ମଧ୍ୟ ନିନ୍ଦା କରିଥିଲେ।
ଅନ୍ୟପଟେ, ବାଂଲାଦେଶର ପୂର୍ବତନ କୂଟନୀତିଜ୍ଞ ତଥା ଗୁପ୍ତଚର ଅଧିକାରୀ ଅମୀନୁଲ୍ ହକ୍ ପୋଲାଶଙ୍କ କହିବା କଥା ଯେ ଶେଖ୍ ହସିନା ଶାସନର ପତନ ପରେ ନିକଟ ବର୍ଷଗୁଡ଼ିକରେ ଉଗ୍ରବାଦରେ ଗମ୍ଭୀର ବୃଦ୍ଧି ଘଟିଛି। ସେ କହିଛନ୍ତି ଯେ ଅଗଷ୍ଟ ୨୦୨୪ ରୁ ବାଂଲାଦେଶରେ ଆତଙ୍କବାଦ ଏବଂ ଇସଲାମୀ ଚରମପନ୍ଥାରେ ବୃଦ୍ଧି ଦେଖିବାକୁ ମିଳିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରବୃତ୍ତି କେବଳ ବାଂଲାଦେଶ ନୁହେଁ, ବରଂ ସମଗ୍ର ଦକ୍ଷିଣ ଏସୀୟ କ୍ଷେତ୍ର ପାଇଁ ସୁରକ୍ଷା ବିପଦ ସୃଷ୍ଟି କରୁଛି।
‘ରାଜନୈତିକ ଷଡ଼ଯନ୍ତ୍ର ଯୋଗୁଁ ନିର୍ବାସନରେ ଅଛନ୍ତି ହସିନା’
ବାଂଲାଦେଶୀ ଲେଖକ ତଥା ରାଜନୈତିକ ବିଶ୍ଲେଷକ ଅବୁ ଓବୈଦା ଅରିନଙ୍କ କହିବା କଥା ଯେ ଶେଖ୍ ହସିନା ରାଜନୈତିକ ଷଡ଼ଯନ୍ତ୍ର ଯୋଗୁଁ ନିର୍ବାସନରେ ଅଛନ୍ତି। ସେ କହିଛନ୍ତି, ‘ବାଂଲାଦେଶୀ ପାସ୍ପୋର୍ଟ ର୍ୟାଙ୍କିଙ୍ଗ୍ ହ୍ରାସ ପାଇଛି। ଦୁଇ ଲକ୍ଷ ଛାତ୍ର ବାଂଲାଦେଶରେ ଫସି ରହିଛନ୍ତି ଏବଂ ଯାତ୍ରା କରିପାରୁ ନାହାନ୍ତି’।
ଅବୁ ଓବୈଦା ଅରିନ୍ କହିଛନ୍ତି, ‘ଆମେ ଆଶା ଛାଡ଼ିନାହୁଁ। ଯୁବକମାନେ ପୁଣି ଉଠି ଛିଡ଼ା ହେଉଛନ୍ତି। ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନରେ ସମସ୍ତେ ଏକଜୁଟ୍ ହେବେ। ଆପଣ କେତେ ଲୋକଙ୍କ ପାଟି ବନ୍ଦ କରିବେ? ଆମ ପାଖରେ ୧୭ କୋଟି ଲୋକ ଅଛନ୍ତି। ଆପଣ କେତେ ଲୋକଙ୍କୁ ଫାଂସି ଦେବେ? ଆମ ପାଖରେ ୧୭ କୋଟି ଲୋକ ଅଛନ୍ତି’। ସେ ଦାବି କରିଛନ୍ତି ଯେ ଶେଖ୍ ହସିନା ବାଂଲାଦେଶକୁ ‘ତାର ନଥିବା ବିଜୁଳି ଖୁଣ୍ଟ’ର ଦେଶରୁ ବିଶ୍ୱର ସବୁଠାରୁ ଦ୍ରୁତଗତିରେ ବଢ଼ୁଥିବା ଅର୍ଥବ୍ୟବସ୍ଥାରେ ପରିଣତ କରିଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୂର୍ବତନ BNP ସରକାର ଅଧୀନରେ ଠିକା ପାଇବା ପାଇଁ ୧୦% କମିଶନ୍ ବାଧ୍ୟତାମୂଳକ ଥିଲା।
‘ପ୍ରତିଶୋଧ ନେବାକୁ ଫେରୁନାହାନ୍ତି ଶେଖ୍ ହସିନା’
ସାମ୍ବାଦିକ ସମ୍ମିଳନୀରେ ବାଂଲାଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ମୋହିବୁଲ୍ ହସନ୍ ଚୌଧୁରୀ କହିଛନ୍ତି ଯେ ‘ଆମେ ବିନାଶର ରାସ୍ତାରେ କେତେ ଦିନ ଚାଲୁଥିବା? ମହିଳା, ଅଳ୍ପସଂଖ୍ୟକ ଏବଂ ସାମ୍ବାଦିକଙ୍କ ବିରୋଧରେ ହିଂସା ବୃଦ୍ଧି ପାଉଛି। ଏହା ବଦଳିବା ଦରକାର। ଆମେ ଅନେକ ଜୀବନ ହରାଇଛୁ। ଏହି ଭାବନାରେ ପ୍ରେରିତ ହୋଇ ହସିନା ବାଂଲାଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରତିଶୋଧ ନେବା ପାଇଁ ଫେରୁନାହାନ୍ତି’।