ଭୁବନେଶ୍ୱର : ପୋଲିସ ଓ ପ୍ରଶାସନ ପକ୍ଷରୁ ରାଜ୍ୟରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କମିଶନର ପୋଲିସ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ଏବଂ କଟକ ସହରାଞ୍ଚଳ ପୋଲିସ ଜିଲ୍ଲା ଅଧୀନରେ ବେଆଇନ ଭାବେ ରହୁଥିବା ୪୮ ଜଣ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଚିହ୍ନଟ ହୋଇଥିବା ଅନୁପ୍ରବେଶକାରୀଙ୍କ ମଧ୍ୟରୁ ୪୨ ଜଣଙ୍କୁ ସେମାନଙ୍କ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରାଯାଇଥିବା ବେଳେ ବାକି ୬ ଜଣଙ୍କୁ ଖୁବଶୀଘ୍ର ପଠାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କମିଶନରେଟ୍ ପୋଲିସ ଏବଂ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାମାନେ ମିଳିତ ଭାବେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି ।
ସୂଚନା ଥାଉକି ରାଜ୍ୟରେ ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ ଓ ପ୍ରମୁଖ ସହରଗୁଡ଼ିକରେ ବାଂଲାଦେଶୀମାନେ ନକଲି ପରିଚୟପତ୍ର ଦେଖାଇ ଦୀର୍ଘ ଦିନ ଧରି ରହିଆସୁଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏହା ପରେ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ସ୍ୱତନ୍ତ୍ର ଭାବେ ଧରପଗଡ଼ ଜୋରଦାର କରାଯାଇଥିଲା। ବିଭିନ୍ନ ବସ୍ତି, ସନ୍ଦିଗ୍ଧ ଆଶ୍ରୟସ୍ଥଳୀ ଓ ବିଭିନ୍ନ କର୍ମକ୍ଷେତ୍ରଗୁଡ଼ିକରେ ବ୍ୟାପକ ଯାଞ୍ଚ ପରେ ଏହି ୪୮ ଜଣ ଅନୁପ୍ରବେଶକାରୀଙ୍କୁ ପୋଲିସ ହେପାଜତକୁ ନେଇଥିଲା ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବା ସହ ପୋଲିସକୁ କଡ଼ା ନଜର ରଖିବାକୁ କୁହାଯାଇଛି । କେବଳ କଟକ- ଭୁବନେଶ୍ୱର ନୁହଁ କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଖୋର୍ଦ୍ଧା ଭଳି ଜିଲ୍ଲାରେ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇ ଅନେକ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଥିଲା ।