ବଲାଙ୍ଗିର : ସୋସାଇଟି ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ବଲାଙ୍ଗିର ପାଟଣାଗଡ଼ ARCS ସର୍କଲ ଅନ୍ତର୍ଗତ PACSର ପୂର୍ବତନ ସମ୍ପାଦକ। ୨୨.୧୯ ଲକ୍ଷ ଟଙ୍କାର ସୋସାଇଟି ପାଣ୍ଠି ଆତ୍ମସାତ୍ କରିଥିବାରୁ ପୂର୍ବତନ ସମ୍ପାଦକ ମୌସମ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ।
ସୂଚନା ଅନୁଯାୟୀ ପ୍ରାଥମିକ କୃଷି ସମବାୟ ସମିତି (PACS) ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଓଡ଼ିଶା ଭିଜିଲାନ୍ସ ଆଜି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ସହକାରୀ ରେଜିଷ୍ଟ୍ରାର୍ ଅଫ୍ କୋ-ଅପରେଟିଭ୍ ସୋସାଇଟି ସର୍କଲ ଅନ୍ତର୍ଗତ ସୁନାମୁଡ଼ି PACS ଏବଂ ଟାମିଆ PACSର ପୂର୍ବତନ ସମ୍ପାଦକ ମୌସମ ବେହେରାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ସୋସାଇଟିର ୨୨,୧୯,୬୩୬ ଟଙ୍କା ଆତ୍ମସାତ୍ କରିଥିବାର ଅଭିଯୋଗ ରହିଛି ଏବଂ ତାଙ୍କୁ ବଲାଙ୍ଗିର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି। ଶ୍ରୀ ବେହେରା ୨୦୨୪-୨୫ ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଅମାନତ(ଡିପୋଜିଟ୍) ଟଙ୍କା ଫେରସ୍ତର ମିଥ୍ୟା ହିସାବ ଦେଖାଇ ଏବଂ ଉଭୟ PACSର ସାର ଋଣ ଟଙ୍କା ଖାତାରେ ଜମା କରିବା ପରିବର୍ତ୍ତେ ସାର ବିକ୍ରିରୁ ମିଳିଥିବା ଅର୍ଥକୁ ଆତ୍ମସାତ୍ କରି ମୋଟ ୨୨,୧୯,୬୩୬ ଟଙ୍କା ହଡ଼ପ କରିଥିଲେ।
ଏହି ଘଟଣାରେ, ଅଭିଯୁକ୍ତ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ସମ୍ବଲପୁର ଭିଜିଲାନ୍ସ ଥାନା ଗତକାଲି କେସ୍ ନଂ. ୧୧ ପିସି (ସଂଶୋଧନ) ଆଇନ୍, ୨୦୧୮ର ଧାରା ୧୩(୨) ସହ ଧାରା ୧୩(୧)(a) ଏବଂ ବିଏନଏସ (BNS) ର ଧାରା ୩୧୬(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି।