ଭୁବନେଶ୍ୱର: ସମ୍ପ୍ରତି ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆଶ୍ୱସ୍ତ କରି ରାଜ୍ୟ ସରକାର ୨୨ଟି ଜିଲ୍ଲା ପାଇଁ ୧୧୦ କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି। ବନ୍ୟାରେ ଘରବାଡ଼ି, ଚାଷଜମି, ରାସ୍ତାଘାଟ ଓ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ଏହି ଆର୍ଥିକ ପ୍ୟାକେଜ୍ ତୁରନ୍ତ ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯିବ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱରକୁ ୨୨.୦୩ କୋଟି ଟଙ୍କା, ଯାଜପୁରକୁ ୨୦.୨୦ କୋଟି ଟଙ୍କା ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।
ସରକାରୀ ସୂଚନା ଅନୁସାରେ, ବିଭିନ୍ନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କାର୍ଯ୍ୟ ଚାଲିଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ବିଭାଗର ରିପୋର୍ଟ ସରକାରଙ୍କ ନିକଟରେ ପହଞ୍ଚିବ। ଏହାପରେ ପ୍ରକୃତ କ୍ଷୟକ୍ଷତି ଆଧାରରେ ଆହୁରି ଆବଶ୍ୟକ ପଦକ୍ଷେପ ଓ ସହାୟତା ଘୋଷଣା କରାଯିବ ବୋଲି କୁହାଯାଇଛି।
ରାଜ୍ୟ ସରକାରଙ୍କ ଏହି ସହାୟତା ପ୍ୟାକେଜ୍ ମାଧ୍ୟମରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ପୁନର୍ବାସ, ଭିତ୍ତିଭୂମି ମରାମତି ଏବଂ ସାଧାରଣ ଜନଜୀବନ ସ୍ୱାଭାବିକ କରିବାକୁ ଗୁରୁତ୍ୱ ଦିଆଯିବ।