ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନରା ଏସଏସଡି ହଷ୍ଟେଲରେ ଘଟିଥିବା ଲୋମହର୍ଷଣକାରୀ ରାଗିଂ ଘଟଣାରେ ଜିଲ୍ଲା ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଘଟଣାରେ ସମ୍ପୃକ୍ତ ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯାଇଥିବାବେଳେ ପ୍ରଧାନ ଶିକ୍ଷକଙ୍କୁ ଶୋକଜ୍ ନୋଟିସ ଜାରି କରାଯାଇଛି।
ଘଟଣା ପରେ କୋଲନରା ବିଡିଓ ରୀନା ପ୍ରଧାନ ବିଦ୍ୟାଳୟରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲା ପ୍ରଶାସନ ଏହି କଠୋର ପଦକ୍ଷେପ ନେଇଛି। ସେପଟେ ପୋଲିସ ମଧ୍ୟ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ କାଉନସେଲିଂ କରିବା ସହ ଘଟଣାର ସମସ୍ତ ଦିଗରେ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ରବିବାର ରାତିରେ ହଷ୍ଟେଲ ପରିସରରେ ଏହି ଘଟଣା ଘଟିଥିଲା। ନବମ ଶ୍ରେଣୀର କିଛି ଛାତ୍ର ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଶିକ୍ଷକଙ୍କ ତାଗିଦ ପରେ ସମ୍ପୃକ୍ତ ଛାତ୍ର ଉତ୍ତେଜିତ ହୋଇ ନିଜର କିଛି ସହପାଠୀଙ୍କ ସହ ମିଶି ନବମ ଶ୍ରେଣୀର ୨୭ ଜଣ ଅନ୍ତେବାସୀ ଛାତ୍ରଙ୍କୁ ଅମାନବିକ ଭାବେ ପ୍ରହାର କରିଥିବା ଅଭିଯୋଗ ହୋଇଛି।
ସାମ୍ନାକୁ ଆସିଥିବା ଭାଇରାଲ୍ ଭିଡିଓରେ ଜଣେ ପରେ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରାଯାଉଥିବା ଏବଂ ପିଲାମାନେ କୌଣସି ପ୍ରତିବାଦ ନକରି ନିଜ ଆସନକୁ ଫେରିଯାଉଥିବା ଦୃଶ୍ୟ ଦେଖି ସମସ୍ତେ ସ୍ତବ୍ଧ ହୋଇପଡ଼ିଥିଲେ। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ନେଇଥିବାବେଳେ ଦୋଷୀଙ୍କ ବିରୋଧରେ ଆହୁରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏହାସହ ହଷ୍ଟେଲଗୁଡ଼ିକରେ ରାଗିଂ ରୋକିବା ପାଇଁ କଡ଼ା ନଜରଦାରି ଏବଂ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରିବାକୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।