କେନ୍ଦୁଝର : ଆଜିକାଲି ଯୁବ ପିଢିଙ୍କୁ ଘାରିଛି ରିଲ୍ସ ନିଶା । ଯାହା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ରିଲ୍ସ ପାଇଁ ହାତୀଙ୍କୁ ହଇରାଣ କରିବା ଓ ଭିଡିଓ କରିବା କାରଣରୁ କେନ୍ଦୁଝର ବନ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଚମ୍ପୁଆ ଥାନା ଗୋଧୁଳି ଗାଁର ଗଣେଷ ନାଏକ ।
ସମ୍ପୃକ୍ତ ଯୁବକଙ୍କର ଏହି ଭିଡ଼ିଓ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ଏକ ବିଶାଳ ଦନ୍ତାହାତୀ ନିକଟରେ ଠିଆ ହୋଇ ହାତୀ ନିକଟରେ ଯୁବକ ଜଣକ ଭିଡିଓ କରୁଛି । ଭିଡ଼ିଓରେ ଏକ ୟୁକାଲିପଟାସ୍ ଗଛରେ ହାତୀ ନିଜ ଶୁଣ୍ଢ ଏବଂ ୨ଟି ଦାନ୍ତ ଛନ୍ଦି ଠିଆ ହୋଇ ଗଛଟି କୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ଏହି ସମୟରେ ଯୁବକ ଜଣକ ହାତୀର ଅତି ନିକଟରେ ଥାଇ ହାତୀର ଦାନ୍ତକୁ ଛୁଇଁବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ଗୋଟିଏ ନୁହେଁ, ହାତୀଙ୍କୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ ସେ ବହୁବାର ଚମ୍ପୁଆ, ପାଟଣା, ସଦର ଏବଂ ଘଟଗାଁ ରେଞ୍ଜ ଅଞ୍ଚଳରେ କରୁଥିବା ସୂଚନା ମିଳିଛି । ଏପରି କାର୍ଯ୍ୟ ନକରିବାକୁ ବନ ବିଭାଗ ତରଫରୁ ସମ୍ପୃକ୍ତ ଯୁବକଙ୍କୁ ପୂର୍ବରୁ ବାରମ୍ବାର ସଚେତନ ମଧ୍ୟ କରାଯାଇଥିଲା । ହେଲେ ଏଥିରୁ ସେ ନିବୃତ୍ତ ନହେବାରୁ ଶେଷରେ ତାଙ୍କୁ ଗିରଫ କରାଯାଇଛି। ଏନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି। ତେବେ ଆଗାମୀ ସମୟରେ ଏଭଳି ବ୍ୟକ୍ତିଙ୍କର ଗିରଫ ସଂଖ୍ୟା ଆହୁରି ବଢ଼ିବ ବୋଲି ସୂଚନା ରହିଛି ।