କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କାଲାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏକ ଚିନ୍ତାଜନକ ଅଘଟଣ। ସ୍କୁଲକୁ ପ୍ରବେଶ କରୁଥିବା ବେଳେ ହଠାତ୍ ମୁଖ୍ୟ ଫାଟକ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ ବିପଦମୁକ୍ତ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗୁରୁବାର ସକାଳେ ପିଲାମାନେ ସ୍କୁଲକୁ ଆସୁଥିବା ବେଳେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଲୁହା ଗେଟ୍ ଓ ସିମେଣ୍ଟ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ତୃତୀୟ ଶ୍ରେଣୀର ଛାତ୍ର କାମେଶ ଖିଲ ଓ ଦୀପକ ମାଝୀଙ୍କ ସମେତ ବାଲବାଟିକାର ଆଉ ଦୁଇ ଜଣ ଶିଶୁ ଆହତ ହୋଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ପିଲାମାନଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଘଟଣା ପରେ ବିଦ୍ୟାଳୟର ଭିତ୍ତିଭୂମି ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ଗେଟ୍ଟି ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା, କିନ୍ତୁ ଏହାର ମରାମତି କିମ୍ବା ପୁନଃନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା।
ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣା ସମ୍ପର୍କରେ ନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ବ୍ଲକ ବିକାଶ ଅଧିକାରୀ (BDO)ଙ୍କୁ ଅବଗତ କରାଇଛନ୍ତି। ଏହି ଘଟଣା ପରେ ସ୍କୁଲର ପୁରୁଣା ଓ ବିପଦଜନକ ଭିତ୍ତିଭୂମିର ତୁରନ୍ତ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।