ଭାରତରେ ପନୀରର ବଢ଼ୁଥିବା ଚାହିଦା ମଧ୍ୟରେ ନକଲି ଏବଂ ଆନାଲୋଗ୍ (Analogue) ପନୀରର କାରବାର ବେଶ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଗୁଣବତ୍ତା ମାନଦଣ୍ଡରେ ଖରାପ ପ୍ରଦର୍ଶନ ହେତୁ ମହାରାଷ୍ଟ୍ର ସରକାର ଆନାଲୋଗ୍ ପନୀର ଉପରେ ବ୍ୟାନ୍ ଲଗାଇଛନ୍ତି।
ପନୀର ଭାରତରେ ସବୁଠାରୁ ଅଧିକ ଖିଆଯାଉଥିବା ଡାଏରୀ ଉତ୍ପାଦଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା ପ୍ରୋଟିନ୍ ଏବଂ କ୍ୟାଲସିୟମର ଏକ ଭଲ ସ୍ରୋତ ଭାବରେ ବିବେଚିତ ହୁଏ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ, ପ୍ରାୟ ସବୁ ବୟସର ଲୋକ ପନୀରରୁ ତିଆରି ଖାଦ୍ୟ ପସନ୍ଦ କରନ୍ତି। କିନ୍ତୁ ଏବେ ଏହି ପନୀର ଅପମିଶ୍ରଣ ଏବଂ ଠକେଇର ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ମହାରାଷ୍ଟ୍ର ସରକାର ନିକଟରେ ଗୋଟିଏ ବର୍ଷ ପାଇଁ ନନ୍-ଡାଏରୀ ପନୀର ଅର୍ଥାତ ଆନାଲୋଗ୍ ପନୀରର ଉତ୍ପାଦନ, ବିକ୍ରି ଏବଂ ବଣ୍ଟନ ଉପରେ କଟକଣା ଲଗାଇଛନ୍ତି। ପ୍ରକୃତରେ, ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଇଥିବା ଯାଞ୍ଚରେ ଆନାଲୋଗ୍ ପନୀର ଗୁଣବତ୍ତା ମାନଦଣ୍ଡରେ ସଫଳ ହୋଇପାରିନଥିଲା।
ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ଗ୍ରାହକମାନେ କମ୍ ଗୁଣବତ୍ତା ବିଶିଷ୍ଟ ଆନାଲୋଗ୍ ପନୀରକୁ ଉଚ୍ଚ ମାନର ନନ୍-ଡାଏରୀ ପନୀର କିମ୍ବା ଅସଲି ପନୀର ଭାବି କିଣିନିଅନ୍ତି। ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକରେ ମଧ୍ୟ କମ୍ ଦାମ୍ ହେତୁ ଏହିପରି ପନୀର ବ୍ୟବହାର କରାଯାଉଥିବା ଅନେକ ମାମଲା ସାମ୍ନାକୁ ଆସିଛି। ଏପରି ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଏବଂ ଜନସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ତେବେ ଏହି କଟକଣା କ୍ଷୀରରୁ ତିଆରି ଅସଲି ପନୀର ଉପରେ ଲାଗୁ ହେବ ନାହିଁ।
ଆନାଲୋଗ୍ ପନୀର କ୍ଷୀରରୁ ତିଆରି ହୁଏ ନାହିଁ। ଏହାକୁ ପନିପରିବା ତେଲ, ଷ୍ଟାର୍ଚ, ଇମଲସିଫାୟାର୍, ଫ୍ଲେଭର୍ ଏବଂ ସିନ୍ଥେଟିକ୍ ସାମଗ୍ରୀ ସାହାଯ୍ୟରେ କୃତ୍ରିମ ଭାବରେ ପ୍ରସ୍ତୁତ କରାଯାଏ। ତେବେ ଏହାର ପୋଷକ ତତ୍ତ୍ୱ କ୍ଷୀର ପନୀରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ବିଭିନ୍ନ ରାଜ୍ୟରୁ ସଂଗ୍ରହ କରାଯାଇଥିବା ଏପରି ପନୀରର ନମୁନା ପରୀକ୍ଷାରେ ଅନେକ ସାମ୍ପଲ୍ ଗୁଣବତ୍ତା ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛନ୍ତି।
ଅନେକ ରାଜ୍ୟରେ ନକଲି ଏବଂ ଅପମିଶ୍ରିତ ପନୀର ଉପରେ ସରକାରୀ ଏକ୍ସନ୍
ରାଜସ୍ଥାନରେ ଅପମିଶ୍ରଣ ଏବଂ ନକଲି ପନୀର ବିରୋଧରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପୋଲିସ୍ କ୍ରମାଗତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନିକଟରେ ରାଜ୍ୟର ଅନେକ ଜିଲ୍ଲାରେ ଚଢ଼ାଉ କରାଯାଇ ଶହ ଶହ କିଲୋଗ୍ରାମ୍ ଦୁର୍ଗନ୍ଧଯୁକ୍ତ ଏବଂ ଅପମିଶ୍ରିତ ପନୀର ଜବତ କରାଯାଇଛି। ଏହା ବ୍ୟତୀତ ଗୁଜରାଟ, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ନକଲି ଏବଂ ଅପମିଶ୍ରିତ ପନୀର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଭାରତରେ ନକଲି ପନୀରର କାରବାର କେତେ ବଡ଼?
ଭାରତ ବିଶ୍ୱର ସବୁଠାରୁ ବଡ଼ କ୍ଷୀର ଉତ୍ପାଦନକାରୀ ଦେଶ। ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ପନୀର ବ୍ୟବହାର ହୁଏ। ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଟରିଂ ଏବଂ ଫାଷ୍ଟଫୁଡ୍ ଶିଳ୍ପରେ ଏହାର ବ୍ୟବହାର ସବୁଠାରୁ ଅଧିକ। ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ଭାରତର ସଂଗଠିତ କ୍ଷେତ୍ରରେ ପନୀର ବଜାର ୬୪୦ ଅରବ (ବିଲିୟନ୍) ଟଙ୍କାର ଥିଲା। ଯେଉଁ ହିସାବରେ ଏହାର ବଜାର ବୃଦ୍ଧି ପାଉଛି, ଆଶା କରାଯାଉଛି ଯେ ୨୦୩୦ ସୁଦ୍ଧା ଏହା ବୃଦ୍ଧି ପାଇ ୧,୮୪୮ କୋଟି (ବା ବିଲିୟନ୍) ଟଙ୍କାରେ ପହଞ୍ଚିବ। ଏଥିରେ ବ୍ୟାପକ ପରିମାଣରେ ପ୍ରାୟ ୬୦ ରୁ ୮୯ ପ୍ରତିଶତ ସିନ୍ଥେଟିକ୍ ଏବଂ ଆନାଲୋଗ୍ (ନକଲି) ପନୀରର ଅପମିଶ୍ରଣ ଓ ବେଆଇନ୍ କାରବାର ହୋଇଥାଏ। FSSAI ର ସାମ୍ପ୍ରତିକ ତଥ୍ୟରୁ ଜଣାପଡ଼ିଛି ଯେ ବିଭିନ୍ନ ସହରରେ ପରୀକ୍ଷା କରାଯାଇଥିବା ପନୀରର ପ୍ରାୟ ୮୩% ନମୁନା ସୁରକ୍ଷା ଏବଂ ଗୁଣବତ୍ତା ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛନ୍ତି।
FSSAI ର ଯାଞ୍ଚରୁ କ’ଣ ସାମ୍ନାକୁ ଆସିଲା?
• ଅନେକ ନମୁନା ନିମ୍ନମାନର (Sub-standard) ମିଳିଥିଲା
• କେତେକ ସ୍ଥାନରେ ଲେବଲିଂ ନିୟମର ଉଲ୍ଲଂଘନ ଦେଖାଯାଇଥିଲା
• କେତେକ ନମୁନାରେ ଭୁଲ୍ ବ୍ରାଣ୍ଡିଂ ଥିବା ଜଣାପଡ଼ିଥିଲା
• କେତେକ କ୍ଷେତ୍ରରେ ଅପମିଶ୍ରଣ ନିଶ୍ଚିତ ହୋଇଥିଲା
ତେବେ, ପ୍ରତ୍ୟେକ ବିଫଳ ନମୁନା ନକଲି ନୁହେଁ। ଯାଞ୍ଚ ସମୟରେ ଆସିଥିବା ପ୍ରତ୍ୟେକ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି:
• ସବ୍-ଷ୍ଟାଣ୍ଡାର୍ଡ (Sub-standard) = ଗୁଣବତ୍ତା ମାନଦଣ୍ଡ ପୂରଣ ହୋଇନାହିଁ
• ମିସବ୍ରାଣ୍ଡେଡ୍ (Misbranded) = ଭୁଲ୍ ଲେବଲିଂ
• ଅନ୍ସେଫ୍ (Unsafe) = ସ୍ୱାସ୍ଥ୍ୟ ପାଇଁ ହାନିକାରକ
• ଫେକ୍ ଏବଂ ଅପମିଶ୍ରିତ (Fake & Adulterated) = ଭେଜାଲ୍ କିମ୍ବା ନକଲି
ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିପାରେ?
ଯଦି ପନୀର କେବଳ ଗୁଣବତ୍ତାରେ ଦୁର୍ବଳ, ତେବେ କମ୍ ପୋଷଣ ମିଳିବ। କିନ୍ତୁ ଯଦି ଏଥିରେ ଅପମିଶ୍ରଣ (କେମିକାଲ୍ କିମ୍ବା କୃତ୍ରିମ ସାମଗ୍ରୀ) ଥାଏ, ତେବେ ବିପଦ ଗମ୍ଭୀର ହୋଇପାରେ। ଏହାଦ୍ୱାରା ପେଟ ବିନ୍ଧା, ବାନ୍ତି, ଝାଡ଼ା ଏବଂ ଫୁଡ୍ ପଏଜନିଂ ଭଳି ସମସ୍ୟା ଦେଖାଦେଇପାରେ। ଲିଭର ଏବଂ କିଡନୀ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏହି ପ୍ରକାରର ପନୀର ସେବନ ଦ୍ୱାରା ଶିଶୁ ଏବଂ ବୃଦ୍ଧମାନଙ୍କ କ୍ଷେତ୍ରରେ ଅଧିକ ବିପଦ ସୃଷ୍ଟି ହୋଇପାରେ।
ଅସଲି-ନକଲି ପନୀର ଚିହ୍ନଟ କରିବାର କିଛି ଉପାୟ:
• ଅସଲି ପନୀର ନରମ ଏବଂ ହାଲୁକା ହୋଇଥାଏ। ଏହା ହାତରେ ଚାପିଲେ ସହଜରେ ଭାଙ୍ଗିଯାଏ। ରବର ଭଳି ଟାଣି ହେଉଥିବା ପନୀର ସନ୍ଦେହଜନକ ହୋଇପାରେ।
• ଅସଲି ପନୀର ଗରମ କଲେ ଧୀରେ ଧୀରେ ନରମ ହୁଏ। ନକଲି ପନୀର ଅନେକ ସମୟରେ ତେଲ ଛାଡ଼ିବାକୁ ଲାଗେ।
• ଅସଲି ପନୀରରେ କ୍ଷୀରର ସ୍ୱାଦ ଥାଏ। ଅତ୍ୟଧିକ ଚିକ୍କଣତା କିମ୍ବା କୃତ୍ରିମ ସ୍ୱାଦ ଅପମିଶ୍ରଣର ସଙ୍କେତ ହୋଇପାରେ।
ସରକାର କ’ଣ କରୁଛନ୍ତି?
ଲୋକଙ୍କୁ ନକଲି ଏବଂ ଅପମିଶ୍ରିତ ପନୀରରୁ ମୁକ୍ତି ଦେବା ପାଇଁ ସରକାର ଏହି ସମ୍ପୃକ୍ତ ଫ୍ୟାକ୍ଟ୍ରିଗୁଡ଼ିକ ଉପରେ କ୍ରମାଗତ ଭାବେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଖାଦ୍ୟ ନମୁନାର ପରୀକ୍ଷା କରାଯାଉଛି। ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତି କିମ୍ବା କମ୍ପାନୀଗୁଡ଼ିକର ଲାଇସେନ୍ସ ରଦ୍ଦ କରିବା, ଜରିମାନା ଲଗାଇବା କିମ୍ବା ସେମାନଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ପାଳନ କରାଯାଉଛି। ମହାରାଷ୍ଟ୍ରର ନିକଟତମ ପ୍ରତିବନ୍ଧକ ମଧ୍ୟ ଏହି ଦିଗରେ ଏକ ବଡ଼ ପଦକ୍ଷେପ ଭାବରେ ବିବେଚିତ ହେଉଛି।
ପ୍ରତ୍ୟେକ ନନ୍-ଡାଏରୀ ପନୀର କ’ଣ ନକଲି?
ସବୁ ନନ୍-ଡାଏରୀ ପନୀର ନକଲି ଏବଂ ଖରାପ ଗୁଣବତ୍ତାର ନୁହେଁ। ଯଦି ନିୟମାନୁସାରେ ଏହାକୁ ତିଆରି କରାଯାଇଥାଏ ଏବଂ ସଠିକ୍ ଲେବଲ୍ ସହିତ ବିକ୍ରି କରାଯାଏ, ତେବେ ଏହା ଏକ ଉତ୍ତମ ଶ୍ରେଣୀର ଖାଦ୍ୟ ଉତ୍ପାଦ। ସମସ୍ୟା ସେତେବେଳେ ଉପୁଜେ ଯେତେବେଳେ ଏହାର ଗୁଣବତ୍ତା ମାନଦଣ୍ଡ ପୂରଣ ହୁଏ ନାହିଁ, ଏହାକୁ କ୍ଷୀରରୁ ତିଆରି ଅସଲି ପନୀର ନାମରେ ବିକ୍ରି କରାଯାଏ କିମ୍ବା ଉପଭୋକ୍ତାଙ୍କୁ ଭ୍ରମିତ କରାଯାଏ। ବର୍ତ୍ତମାନ ଭାରତରେ ପନୀରର ବଢ଼ୁଥିବା ଚାହିଦା ସହିତ ଅପମିଶ୍ରଣ ଏବଂ ଭୁଲ୍ ବ୍ରାଣ୍ଡିଂର ଚ୍ୟାଲେଞ୍ଜ ଦ୍ରୁତ ଗତିରେ ବୃଦ୍ଧି ପାଇଛି।