ନୂଆଦିଲ୍ଲୀ: ଚର୍ଚ୍ଚିତ ତେହେଲ୍କା ଯୌନ କାଣ୍ଡ ମାମଲାରେ ଆସିଛି ଏକ ବଡ଼ ଓ ରାୟ। ବମ୍ବେ ହାଇକୋର୍ଟର ଗୋଆ ପୀଠ ଗୁରୁବାର ତରୁଣ ତେଜପାଲଙ୍କୁ ୨୦୧୩ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ ତଳକୋର୍ଟରୁ ତାଙ୍କୁ ମିଳିଥିବା କ୍ଲିନ୍ ଚିଟ୍ ବା ଦୋଷମୁକ୍ତି ଆଦେଶକୁ ହାଇକୋର୍ଟ ଏକପ୍ରକାର ଓଲଟାଇ ଦେଇଛନ୍ତି।
କଣ ଥିଲା ପୂରା ଘଟଣା ?
୨୦୧୩ ମସିହା ନଭେମ୍ବର ମାସରେ ଗୋଆର ଏକ ପଞ୍ଚତାରକା ହୋଟେଲର ଲିଫ୍ଟ ଭିତରେ ଜଣେ ଜୁନିୟର ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସେତେବେଳେ ଦେଶବ୍ୟାପୀଡ଼ ସ୍ତବ୍ଧ କରି ଦେଇଥିବା ବେଳେ ଗୋଆ ପୋଲିସ ତରୁଣ ତେଜପାଲଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା। ଲମ୍ବା ଯାଞ୍ଚ ପରେ ମାମଲାର ବିଚାର ଚାଲିଥିଲା।
୨୦୨୧ ମସିହାରେ ଗୋଆର ଏକ ମାପୁସା ସେସନ୍ସ କୋର୍ଟ ତରୁଣ ତେଜପାଲଙ୍କୁ ଏହି ମାମଲାରୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଥିଲେ। ତଳକୋର୍ଟର ଏହି ରାୟକୁ ବିରୋଧ କରି ଗୋଆ ସରକାର ଏବଂ ରାଜ୍ୟ ପକ୍ଷରୁ ବମ୍ବେ ହାଇକୋର୍ଟରେ ଆପିଲ୍ କରାଯାଇଥିଲା।
ହାଇକୋର୍ଟଙ୍କ ରାୟ
ନ୍ୟାୟମୂର୍ତ୍ତି ଡାକ୍ତର ନୀଳା ଗୋଖଲେ ଏବଂ ନ୍ୟାୟମୂର୍ତ୍ତି ଅମିତ ଜାମସେନ୍ଦକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ଶୁଣାଣି ସମୟରେ ହାଇକୋର୍ଟ ତଳକୋର୍ଟଙ୍କ ରାୟ ଏବଂ ପୀଡ଼ିତାଙ୍କ ପ୍ରତି ଦୃଷ୍ଟିକୋଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ମତ ଦେଇଥିଲେ। ଆଜି କୋର୍ଟ ତାଙ୍କୁ ଆଇପିସିର ଧାରା ୩୭୬(୨)(ଏଫ୍), ୩୭୬(୨)(କେ), ୩୫୪ଏ ଏବଂ ୩୫୪ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।