ଗଜପତି: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଭୀମଦଳି ଘାଟିରେ ବୁଧବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଲୁହା ରଡ୍ ବୋଝେଇ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିବାରୁ ୩୨୬ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଦୁର୍ଘଟଣା ପରେ ଟ୍ରକରେ ଥିବା ଲୁହା ରଡ୍ ରାସ୍ତା ଉପରେ ବିଛାଇ ହୋଇ ପଡ଼ିଥିଲା। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଯାତ୍ରୀବାହୀ ବସ୍, ଟ୍ରକ ଓ ଅନ୍ୟାନ୍ୟ ଯାନବାହାନ ଅଟକି ରହିଥିଲା। ଘାଟି ରାସ୍ତାରେ ହଠାତ୍ ଏପରି ପରିସ୍ଥିତି ସୃଷ୍ଟି ହେବାରୁ ଯାତ୍ରୀମାନେ ମଧ୍ୟ ହଇରାଣ ହୋଇପଡ଼ିଥିଲେ।
ସୂଚନା ଅନୁସାରେ, ଟ୍ରକଟି ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଲୁହା ରଡ୍ ନେଇ ଯାଉଥିବା ବେଳେ ଭୀମଦଳି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଖବର ପାଇ ଅଡବା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଉଠାଇବା ସହ ରାସ୍ତାରୁ ଲୁହା ରଡ୍ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।