ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଯୁକ୍ତ ଦୁଇରେ ପଢ଼ୁଥିବା ଜଣେ ନାବାଳକ ଛାତ୍ରକୁ ଅନ୍ୟ କିଛି ଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରିବା ପରେ ଅପହରଣ କରି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ପୁଅକୁ ଖୋଜି ବାହାର କରିବାକୁ ପରିବାର ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଏତଲା ଦିଆଯାଇଛି ।ପ୍ରାପ୍ତ ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଶ୍ଚିମଭେଡା ଗ୍ରାମର ସୂର୍ଯ୍ୟକାନ୍ତ ମଲ୍ଲିକ ଏବଂ ଡଲି ମଲ୍ଲିକଙ୍କ ପୁଅ ଗୋବିନ୍ଦପୁରରେ ଥିବା ମାମୁଁ ଘରେ ରହି ମଦନପୁର ୟୁକେ ମହାବୀର ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି । ଗତ ୨ ଦିନ ତଳେ କିଛି ଯୁବକ ତାଙ୍କୁ ସଂଘବଦ୍ଧଭାବେ ମାଡ଼ ମାରୁଥିବା ପରିବାର ଲୋକଙ୍କୁ ତାଙ୍କ ସାଙ୍ଗମାନେ ଜଣାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର କୌଣସି ଖୋଜ ଖବର ମିଳୁନଥିବା ପରିବାର ଲୋକେ କହିଛନ୍ତି । ଏ ନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସେପଟେ ମାଡ଼ ମାରିବାର ଏକ ଭିଡ଼ିଓ ଭାଇରାଲ ହେଉଛି । ଛାତ୍ରଙ୍କୁ କିଛି ଯୁବକ ତଳେ କାଦୁଅରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛନ୍ତି । ଏହା ପରେ ଛାତ୍ରଙ୍କୁ ଅନ୍ୟ ଜଣଙ୍କ ଗୋଡ଼ ତଳେ ପକାଇ ଭୁଲ ମାଗିବାକୁ ବାଧ୍ୟ କରାଯାଉଥିବାର ଭିଡ଼ିଓରେ ଦେଖା ଯାଇଛି ।
ଗ୍ରାମାଞ୍ଚଳ ଥାନା ପୁଲିସ କେସ୍ ନଂ ୪୦୪/୨୬ ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୭ (୨) (ନାବାଳକକୁ ଅପହରଣ) , ୧୧୫(୨) (ଆକ୍ରମଣ) ଓ ୩୫ରେ ମାମଲା ରୁଜୁ କରିଛି । ଏ ଘଟଣାରେ ୩ ଜଣକୁ ଥାନାରେ ଅଟକ ରଖାଯାଇ ପଚରା ଉଚରା କରାଯାଉଛି । ପୀଡ଼ିତ ନାବାଳକକୁ ଯଥାଶୀଘ୍ର ସୁରକ୍ଷିତ ଉଦ୍ଧାର କରିବାକୁ ପୁଲିସ ତଦନ୍ତ ଆରମ୍ଭ କରିଥିବା ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।