କୋରାପୁଟ: ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ଏବଂ କଡ଼ା ମନ୍ତବ୍ୟ ଦେଇଛନ୍ତି। ଓଡ଼ିଶାର କୋରାପୁଟ ଜିଲ୍ଲାର ଅର୍ଜୁନ ଜାନୀ ଓରଫ ଟୁନଟୁନଙ୍କ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥାର ମିଳିତ ବିଫଳତା ଯୋଗୁଁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ଜୀବନର ୨୨ ବର୍ଷ ଅକାରଣରେ ଜେଲ୍ରେ କଟିଗଲା।
ଜଷ୍ଟିସ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଅର୍ଜୁନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଘୋଷଣା କରି ମୁକ୍ତ କରିବା ସହ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ ରଦ୍ଦ କରିଦେଇଛନ୍ତି। ଅଦାଲତ କହିଛନ୍ତି, କେବଳ ମାମଲାର ବିଳମ୍ବକୁ ଆଧାର କରି ଜଣେ କଏଦୀଙ୍କ ଅପିଲ୍କୁ ଖାରଜ କରିବା ନ୍ୟାୟର ମୂଳ ଆତ୍ମା ବିରୋଧୀ।
ମାମଲା ଅନୁସାରେ, ଅର୍ଜୁନ ଜାନୀଙ୍କୁ ତିନିଜଣ ମହିଳାଙ୍କ ହତ୍ୟା ଅଭିଯୋଗରେ ନିମ୍ନ ଅଦାଲତ ଆଜୀବନ କାରାଦଣ୍ଡ ଦେଇଥିଲେ। ଏହା ବିରୋଧରେ ସେ ହାଇକୋର୍ଟରେ ଅପିଲ୍ କରିଥିଲେ। କିନ୍ତୁ ଅପିଲ୍ରେ ୩,୧୫୭ ଦିନ ବିଳମ୍ବ ହୋଇଥିବା ଦର୍ଶାଇ ହାଇକୋର୍ଟ ମାମଲାର ପ୍ରକୃତ ତଥ୍ୟ ବିଚାର ନକରି ଏହାକୁ ଖାରଜ କରିଦେଇଥିଲେ। ସେତେବେଳକୁ ଅର୍ଜୁନ ୧୨ ବର୍ଷ ଜେଲ୍ କାଟିସାରିଥିଲେ। ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିବା ବେଳକୁ ତାଙ୍କର ମୋଟ ୨୨ ବର୍ଷ ଜେଲ ହୋଇସାରିଥିଲା।
ମାମଲାର ପୁନଃ ସମୀକ୍ଷା କରି ସୁପ୍ରିମକୋର୍ଟ ପାଇଥିଲେ ଯେ, ଅଭିଯୋଗ ପକ୍ଷର ସମ୍ପୂର୍ଣ୍ଣ ମାମଲା କେବଳ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଉପରେ ଆଧାରିତ ଥିଲା। କିନ୍ତୁ ସେହି ସାକ୍ଷ୍ୟ ଘଟଣାସ୍ଥଳର ପରିସ୍ଥିତି, ସମୟ ଏବଂ ଅନ୍ୟାନ୍ୟ ପ୍ରମାଣ ସହ ମେଳ ଖାଉନଥିଲା। ତେଣୁ ଏଭଳି ଦୁର୍ବଳ ଓ ସନ୍ଦେହଜନକ ସାକ୍ଷ୍ୟ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଆଇନସମ୍ମତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ରାୟରେ ଜଷ୍ଟିସ ବିନୋଦ ଚନ୍ଦ୍ରନ ଲେଖିଛନ୍ତି ଯେ, ଗରିବ ଏବଂ ଅବହେଳିତ ଶ୍ରେଣୀର ଲୋକଙ୍କ ପାଇଁ ନ୍ୟାୟ ଆଜି ମଧ୍ୟ ସହଜରେ ଉପଲବ୍ଧ ହୋଇପାରୁନାହିଁ। ଜେଲ୍ରେ ଥିବା ଜଣେ କଏଦୀଙ୍କ ଅପିଲ୍କୁ କେବଳ ବିଳମ୍ବ ଦର୍ଶାଇ ଖାରଜ କରିବା ପରିବର୍ତ୍ତେ ଅଦାଲତମାନେ ଉଦାର ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ, କାରଣ ଏହା ସିଧାସଳଖ ଭାବେ ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାର ‘ସ୍ୱାଧୀନତା’ ସହ ଜଡ଼ିତ।
ସୁପ୍ରିମକୋର୍ଟ କେବଳ ଅର୍ଜୁନ ଜାନୀଙ୍କୁ ନିର୍ଦ୍ଦୋଷ ଘୋଷଣା କରିନାହାନ୍ତି, ବରଂ କୋରାପୁଟ ଜିଲ୍ଲା ଆଇନସେବା ପ୍ରାଧିକରଣ (DLSA) ଏବଂ ଜିଲ୍ଲା ପ୍ରଶାସନକୁ ତାଙ୍କର ପୁନର୍ବାସ, ଆର୍ଥିକ ସହାୟତା ଓ ସମାଜରେ ପୁନଃ ଥଇଥାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ଏହି ରାୟ କେବଳ ଅର୍ଜୁନ ଜାନୀଙ୍କୁ ନ୍ୟାୟ ଦେଇନାହିଁ, ବରଂ ଦେଶର ନ୍ୟାୟ ବ୍ୟବସ୍ଥାକୁ ଅଧିକ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବା ପାଇଁ ଏକ ଶକ୍ତ ବାର୍ତ୍ତା ମଧ୍ୟ ଦେଇଛି।