ଭଦ୍ରକ: ସାଳନ୍ଦୀ ନଦୀର ପ୍ରଥମ ବନ୍ୟାର ଯନ୍ତ୍ରଣା ଏଯାଏଁ ଭୁଲିପାରିନଥିବା ଭଦ୍ରକ ଜିଲ୍ଲାର ଚାଷୀଙ୍କ ପାଇଁ ପୁଣି ଏକ ନୂଆ ଚିନ୍ତା ସୃଷ୍ଟି ହୋଇଛି। ସାଳନ୍ଦୀ ନଦୀର ଜଳସ୍ତର ପୁଣି ବଢ଼ିବା ଆରମ୍ଭ କରିଥିବାରୁ ତଟବର୍ତ୍ତୀ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଶେଷକରି ଚାଷୀମାନଙ୍କ ମଧ୍ୟରେ ଭବିଷ୍ୟତକୁ ନେଇ ଗଭୀର ଆଶଙ୍କା ଦେଖାଦେଇଛି।
ପ୍ରଥମ ବନ୍ୟାରେ ଭଦ୍ରକ ବ୍ଲକର ଅର୍ଣ୍ଣପାଳ ଓ ବିଷ୍ଣୁପୁର ସହ ତିହିଡି ବ୍ଲକର ତଳ ଗୋପବିନ୍ଧା, ବାରୋ, ବିଲଣା, କାଁପଡା, ମୁକୁନ୍ଦପୁର, ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଚାଷଜମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ବୁଣା ଓ ରୁଆ ଧାନ ସହିତ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପନିପରିବା ଚାଷ ମଧ୍ୟ ପାଣିରେ ଭାସିଯାଇଛି। ଏବେ ପୁଣି ଜଳସ୍ତର ବଢ଼ିବାରୁ ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି। ଅନେକ ବିପନ୍ନ ଚାଷୀ ସରକାରୀ ସହାୟତା ଏପର୍ଯ୍ୟନ୍ତ ନମିଳିଥିବା ଅଭିଯୋଗ କରିଛନ୍ତି।
ସେପଟେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟା ମଧ୍ୟ କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡରେ ଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ବାଙ୍କୀର ଦୁଇଟି ବ୍ଲକର ୧୬ଟି ଗ୍ରାମ ପଞ୍ଚାୟତରେ ହଜାର ହଜାର ଚାଷୀ ପ୍ରଭାବିତ ହୋଇଛନ୍ତି। ଏହି ବର୍ଷ ପ୍ରାୟ ୧୪,୭୦୦ ହେକ୍ଟର ଜମିରେ ଧାନ ଏବଂ ୧,୫୦୦ ହେକ୍ଟରରେ ପନିପରିବା ଚାଷ ହୋଇଥିଲା। କିନ୍ତୁ ବନ୍ୟା ପାଣି ଯୋଗୁଁ ପ୍ରାୟ ୮୦ ପ୍ରତିଶତ ପରିବା ଫସଲ ନଷ୍ଟ ହୋଇଯାଇଥିବା ବେଳେ ଶାଖା ନଦୀର ବନ୍ୟା ଜଳରେ ଧାନ ଫସଲ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।