ଭୁବନେଶ୍ୱର: ଗତକାଲି ରାତିଠାରୁ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ସକାଳୁ ୧୦ ଜିଲ୍ଲା ପାଇଁ ଆସନ୍ତା ୩ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, କୋରାପୁଟ, ନୟାଗଡ଼, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରବଳ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଆଜି ପାଇଁ ଉତ୍ତର ଓଡ଼ିଶାର ଦୁଇଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ଦୁଇଟି ଜିଲ୍ଲାକୁ ୧୨ ସେମିରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ବାକି ୨୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ସହିତ ବିଜୁଳି ଘଡ଼ଘଡ଼ି ସହିତ ପବନର ବେଗ ଘଣ୍ଟା ପ୍ରତି ୩୦ କି.ମିରୁ ୪୦ କି.ମି ପର୍ଯ୍ୟନ୍ତ ରହିପାରେ । ସେହିପରି ଆସନ୍ତାକାଲି ପାଇଁ ୨୦ ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷାର ପରିମାଣ ୭ ସେଣ୍ଟିମିଟରରୁ ୧୧ ସେଣ୍ଟିମିଟର ରହିପାରେ ।
ସେପଟେ ଗତକାଲି ରାତିଠାରୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ଛେଚିଛି । ଦୁଇଟି ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ଅନେକ ଜିଲ୍ଲାରେ ମଧ୍ୟରେ ପ୍ରବଳ ବର୍ଷାରେ ଜନଜୀବନ ବ୍ୟସ୍ତ ହୋଇପଡ଼ିଛି ।