କଳାହାଣ୍ଡି/କଟକ: ରକ୍ତ ସମ୍ପର୍କକୁ ଫିକା କରିଦେଉଛି ସାମାନ୍ୟ ଝଗଡ଼ା । ପାରିବାରିକ କଳହ ନେଉଛି ବିଭତ୍ସ ହତ୍ୟାର ରୂପ । ପାରିବାରିକ ଝଗଡ଼ାରୁ ଯୋଗୁଁ ରାଜ୍ୟରେ ଦୁଇଟି ସ୍ଥାନରେ ହୋଇଛି ବିଭତ୍ସ ହତ୍ୟାକାଣ୍ଡ । କଳାହାଣ୍ଡି ଜିଲ୍ଲା କଲମପୁରରେ ପୁଅକୁ ଜନ୍ମକଲା ବାପା ହତ୍ୟା କରିଥିବାବେଳେ କଟକ ଜିଲ୍ଲା ନେପାଳରେ ସ୍ତ୍ରୀକୁ ହତ୍ୟା କରିଛି ଜହ୍ଲାଦ ସ୍ୱାମୀ ।
ପୁଅକୁ କାଠ ଫାଳିଆରେ ଆକ୍ରମଣ
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଆଲୋକ ରଞ୍ଜନ ଗହିର (୨୦)।
ଅଶୋକଙ୍କ ବାପା ମାନସିଂ ଗହିର (୫୫) ଗାଡ଼ି ଚଳାଇବାକୁ ଯିବା ପରେ ପୁଅଙ୍କୁ ଟଙ୍କା ମାଗିଥିଲେ । ପୁଅ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ବାପା ରାଗରେ କାଠ ଫାଳିଆରେ ପୁଅ ଆଲୋକଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଗୁରୁତର ଆହତ ଆଲୋକଙ୍କୁ ତାଙ୍କ ବଡ଼ ଭାଇ ଦୀପକ ରଞ୍ଜନ ଗହିର ଓ ପରିବାର ସଦସ୍ୟମାନେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପା ମାନସିଂ ଗହିରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୁଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩ (୧) ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମାସେ ନ ପୁରୁଣୁ ସ୍ତ୍ରୀକୁ ହାଣିଲା ସ୍ୱାମୀ
ସେହିପରି କଟକ ଜିଲ୍ଲା ନେମାଳ ଥାନା ସହଦେବପୁର ଗାଁରେ ନବବିବାହିତା ପତ୍ନୀଙ୍କୁ ହାଣି ସ୍ୱାମୀ ହତ୍ୟା କରିଛନ୍ତି । ମୃତ ପତ୍ନୀ ହେଲେ ରୋଜାଲିନ ମଲ୍ଲିକ । ଅଭିଯୁକ୍ତ ସ୍ୱାମୀ ଶଳୈନ୍ଦ୍ର ମଲ୍ଲିକ ଫେରାର ଅଛନ୍ତି ।
ଶଳୈନ୍ଦ୍ରଙ୍କ ସାନ ଭାଇ କହିଛନ୍ତି ଯେ ଗତ ଜୁଲାଇ ୧୨ ତାରିଖରେ ମାସକ ତଳେ ଶଳୈନ୍ଦ୍ର ମଲ୍ଲିକ କେନ୍ଦ୍ରାପଡ଼ା ସଦର ଥାନା ବାଲିସାହି ଗ୍ରାମର ରୋଜାଲିନ ମଲ୍ଲିକ ବିବାହ କରିଥିଲେ । ଗତକାଲି ରାତିରେ ସମସ୍ତେ ରାତ୍ରି ଭୋଜନ ସାରି ଶୋଇଥିଲେ । କିନ୍ତୁ ହଠାତ୍ ଶଳୈନ୍ଦ୍ର ଏକ ଟାଙ୍ଗିଆରେ ରୋଜାଲିନଙ୍କୁ ଆକ୍ରମଣ କରିଥିଲେ । ରୋଜାଲିନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଆଜି ସକାଳୁ ଘର ଭିତରୁ ରୋଜାଲିନଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ଘଟଣା ପରଠାରୁ ଶଳୈନ୍ଦ୍ର ଫେରାର ରହିଛି ।
ରୋଜାଲିନଙ୍କ ବାପା କହିଛନ୍ତି ଝିଅ କିଛି ମାନସିକ ଚାପରେ ଥିଲା । କିନ୍ତୁ ସେ କିଛି କହୁନଥିଲେ । ଯୌତୁକ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ସେ ସନ୍ଦେହ କରୁଛନ୍ତି । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।