ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ନାବାଳକ ଛାତ୍ରକୁ ମାଡ଼ ମାରିବା ଘଟଣାରେ ବଡ଼ ସୂଚନା ସାମ୍ନାକୁ ଆସିଛି । ସମ୍ପୃକ୍ତ ନାବାଳକଙ୍କୁ ଅପହରଣ କରାଯାଇନଥିଲା ବରଂ ସେ ଭୟରେ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ଜଣାପଡ଼ିଛି । ପୁଲିସ ନାବାଳକକୁ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରି ଥାନାକୁ ଆଣିଛି । ଥାନାରେ ତାଙ୍କୁ ପଚରାଉଚରା କରାଯାଉଛି ।ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଶ୍ଚିମଭେଡା ଗ୍ରାମର ସୂର୍ଯ୍ୟକାନ୍ତ ମଲ୍ଲିକ ଏବଂ ଡଲି ମଲ୍ଲିକଙ୍କ ପୁଅ ଗୋବିନ୍ଦପୁରରେ ଥିବା ମାମୁଁ ଘରେ ରହି ମଦନପୁର ୟୁକେ ମହାବୀର ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି । ଗତ ୨ ଦିନ ତଳେ କିଛି ଯୁବକ ତାଙ୍କୁ ସଂଘବଦ୍ଧଭାବେ ମାଡ଼ ମାରୁଥିବା ପରିବାର ଲୋକଙ୍କୁ ତାଙ୍କ ସାଙ୍ଗମାନେ ଜଣାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର କୌଣସି ଖୋଜ ଖବର ମିଳୁନଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।
ସେପଟେ ମାଡ଼ ମାରିବାର ଏକ ଭିଡ଼ିଓ ଭାଇରାଲ ହେଉଛି । ଛାତ୍ରଙ୍କୁ କିଛି ଯୁବକ ତଳେ କାଦୁଅରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛନ୍ତି । ଏହା ପରେ ଛାତ୍ରଙ୍କୁ ଅନ୍ୟ ଜଣଙ୍କ ଗୋଡ଼ ତଳେ ପକାଇ ଭୁଲ ମାଗିବାକୁ ବାଧ୍ୟ କରାଯାଉଥିବାର ଭିଡ଼ିଓରେ ଦେଖା ଯାଇଛି ।