ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅତ୍ୟାଧୁନିକ ଲକ୍ଷ୍ନୌ-କାନପୁର ଏକ୍ସପ୍ରେସୱେ ଏବେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛି। ଏହାରି ଭେତରୁ ସାମ୍ନାକୁ ଆସିଛି ଏକ ଏପରି ଭିଡିଓ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ହସିବାକୁ ବାଧ୍ୟ ହେଉଛନ୍ତି। ଏକ୍ସପ୍ରେସୱେର ମରାମତି କାମକୁ ଶୁଖାଇବା ପାଇଁ ପଙ୍ଖାର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଏକ୍ସପ୍ରେସୱେର ବିଭିନ୍ନ ସ୍ଥାନରେ ରାସ୍ତା ଧସିଯିବା ଏବଂ କ୍ଷତିଗ୍ରସ୍ତ ହେବା ଅଭିଯୋଗ ପରେ ସେଠାରେ ମରାମତି କାମ ଜୋରସୋରରେ ଚାଲିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ରାସ୍ତା କାମ କିମ୍ବା ମରାମତି ସ୍ଥାନକୁ ଶୀଘ୍ର ଶୁଖାଇବା ପାଇଁ ସେଠାରେ ବଡ଼ ବଡ଼ ପଙ୍ଖା ଲଗାଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି।
ଏହି ଭିଡିଓକୁ ନିଜର 'ଏକ୍ସ' ହ୍ୟାଣ୍ଡେଲରେ ସେୟାର କରି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଜେପି ସରକାର ଏବଂ ପ୍ରଶାସନକୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି। ସେ ବ୍ୟଙ୍ଗ କରି କହିଛନ୍ତି ଯେ, ସରକାରୀ କାମର ମାନ ଏତେ ଉଚ୍ଚକୋଟୀର ହୋଇଛି ଯେ, ବର୍ତ୍ତମାନ ରାସ୍ତା ଶୁଖାଇବା ପାଇଁ ପଙ୍ଖାର ସାହାଯ୍ୟ ନିଆଯାଉଛି। ଏହା ଦ୍ଵାରା ରାଜ୍ୟର ଭିତ୍ତିଭୂମି ଏବଂ ଦୁର୍ନୀତିର ଅସଲ ଚେହେରା ପଦାରେ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।
Also Read: ‘ଟିକେ ଆଡଜଷ୍ଟ କର' ବିବାହିତ ଝିଅମାନଙ୍କୁ କହିବା ବନ୍ଦ କର’