ଭୁବନେଶ୍ଵର: ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ ହେବା ଚର୍ଚ୍ଚାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ । ଏ ନେଇ ତର୍ଜମା ଚାଲିଥିବା ମନ୍ତ୍ରୀ କହିଛନ୍ତି ।
ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସରକାର ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟରେ ବୈଠକ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି । ଯଦି ସାମ୍ବାଦିକମାନେ ଆୟୁଷ୍ମାନରେ ସାମିଲ ନହେବା ପାଇଁ ମନା କରୁଛନ୍ତି ତେବେ ସରକାର ଏହାର ତର୍ଜମା କରିବେ ।
ଉଲ୍ଲେଖ ଯୋଗ୍ୟ, ୨୦୧୮ ମସିହାରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ ହୋଇଥିଲା । ପ୍ରାରମ୍ଭିକଭାବେ ବୀମା ରାଶି ୨ ଲକ୍ଷ ଟଙ୍କା ଥିଲା । ପରେ ତାହାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅଗଷ୍ଟ ୩୧ ତାରିଖରେ ସ୍ୱାସ୍ଥ୍ୟ ବୀମାର ଅବଧି ଶେଷ ହେବାକୁ ଯାଉଛି ।