ନୂଆପଡ଼ା ଜିଲ୍ଲାରେ ଅବୈଧ ମଦ କାରବାର ବିରୋଧରେ ଏକ୍ସାଇଜ୍ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ବୁଧବାର କୋମନା ଥାନା ଅନ୍ତର୍ଗତ ଦେଓଧରା ଗ୍ରାମପଞ୍ଚାୟତ ଅଞ୍ଚଳରେ ଚାଲିଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ବିପୁଳ ପରିମାଣର ବିଭିନ୍ନ ପ୍ରକାରର ମଦ ଜବତ ହେବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।
ଜିଲ୍ଲା ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଏକ୍ସାଇଜ୍ ରେଞ୍ଜ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅଧିକାରୀମାନେ ୩୦ ଲିଟର ବିୟର, ୧୦ ଲିଟର ଆଇଏମଏଫଏଲ୍ (IMFL), ୮ ଲିଟର ଆଇଡି ଲିକର, ୨୩ ଲିଟର ଓଏସ୍ ଲିକର ଏବଂ ସର୍ବାଧିକ ୧୫୦ ଲିଟର ତାଳରସ ଜବତ କରିଥିଲେ। ଅବୈଧ ଭାବେ ମଦ ଗଚ୍ଛିତ ରଖି ବିକ୍ରି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଏକ୍ସାଇଜ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ସେମାନଙ୍କୁ ଅଦାଲତରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଯାଇଛି।