ଭୁବନେଶ୍ୱର: କର୍ତ୍ତବ୍ୟକୁ ସର୍ବୋପରି ମନେ କରି ବନ୍ୟା ପୀଡ଼ିତଙ୍କ ଜୀବନ ରକ୍ଷା କରୁଥିବା ବେଳେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ତାଳଚେରର ବୀର ଅଗ୍ନିଶମ କର୍ମଚାରୀ ସ୍ୱର୍ଗତ ଚନ୍ଦନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ତାଙ୍କ ଅମୂଲ୍ୟ ବଳିଦାନକୁ ସମ୍ମାନ ଜଣାଇ ସରକାର ତାଙ୍କ ପରିବାରକୁ ୧ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ମଧ୍ୟ ହସ୍ତାନ୍ତର କରାଯାଇଛି।
ରାଜ୍ୟରେ ନିକଟରେ ଘଟିଥିବା ବନ୍ୟା ସମୟରେ କେନ୍ଦୁଝର ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା। ଏକ ସରକାରୀ କୋଠାରୁ ବନ୍ୟା ଜଳ ନିଷ୍କାସନ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ସେ ପ୍ରାଣ ହରାଇଥିଲେ। ମାତ୍ର ୨୬ ବର୍ଷ ବୟସରେ ଦେଶ ଓ ସମାଜ ସେବା କରୁଥିବା ଏହି ଯୁବ ଅଗ୍ନିଶମ କର୍ମଚାରୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟର ୨୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ କରିଥିଲେ। ସେହି ସମୟରେ ଚନ୍ଦନଙ୍କ ବଳିଦାନ ରାଜ୍ୟ ପାଇଁ ଏକ ଗୌରବର ବିଷୟ।
ଚନ୍ଦନ ଘରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କ ପରିବାରରେ ବୃଦ୍ଧ ପିତାମାତା ଓ ଦୁଇ ଜଣ ଭଉଣୀ ଅଛନ୍ତି। ଏଭଳି ଦୁଃଖଦ ସମୟରେ ସରକାର ପରିବାର ପାଖରେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅତିରିକ୍ତ ସହାୟତା ଯୋଗାଇବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।