ନବରଙ୍ଗପୁରଜିଲ୍ଲା ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ମାର୍କାଟୋଲା ଗାଁରେ ଏକ ମାଈ ଭାଲୁ ଆତଙ୍କ ଖେଳାଇଛି l ଭାଲୁଟି ପ୍ରଥମେ ଏକ ଛୁଆ ଭାଲୁକୁ ଝୁଣି ମାରିବା ପରେ ଜଙ୍ଗଲ ଜମିରେ ଚାଷ କରୁଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲା l ଏହି ଭାଲୁ ଆକ୍ରମଣରେ ଘଟଣା ସ୍ଥଳରେ ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଭଉଣୀ ଗୁରୁତର ଅବସ୍ଥାରେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସିତ ହେଉଛି ।
ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଭାଲୁଟି ଜଙ୍ଗଲରେ ଏକ ଛୁଆ ଭାଲୁକୁ ମାରି ଦେଇଥିଲା l ଘଟଣା ସମ୍ପର୍କରେ ସ୍ଥାନୀୟ ବନ ବିଭାଗ ସୂଚନା ପାଇବା ପରେ ଏକ ଟିମ ଛୁଆ ଭାଲୁର ମୃତଦେହକୁ ଜବତ କରିଥିଲେ l ତା ପରଦିନ ଅର୍ଥାତ ବୁଧବାର ସକାଳେ ମାର୍କାଟୋଲା ଗାଁର ହଲାଲଖୋର ଜୁରି ନାମକ ଜଣେ ଯୁବକ ଜଙ୍ଗଲ ନିକଟରେ ଥିବା ଏକ କ୍ଷେତରେ କାମ କରୁଥିବା ବେଳେ ଉକ୍ତ ମାଈ ଭାଲୁ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ତାଙ୍କ ଭଉଣୀ ଚାମାରୋନ୍ ବାଇ ଠିକ ସେହି ସମୟରେ କ୍ଷେତକୁ ପହଂଚିଥିବା ବେଳେ ଭାଲୁଟି ତାଙ୍କ ଭାଇକୁ ଆକ୍ରମଣ କରୁଥିବା ଦେଖି ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଆକ୍ରମଣର ଶିକାର ହୋଇଥିଲେ l ଦୁଇ ଭାଈ ଭଉଣୀଙ୍କୁ ଭାଲୁଟି ରକ୍ତାକ୍ତ କରି ଦେଇଥିଲା। ଭାଇଭଉଣୀଙ୍କ ଚିତ୍କାର ଶୁଣି ନିକଟ କ୍ଷେତରେ କାମ କରୁଥିବା ସେମାନଙ୍କର ଅନ୍ୟ ଏକ ଭଉଣୀ ଖୋରିନବାଇ ମଧ୍ୟ ସେଠାରେ ପହଞ୍ଚି ଭାଇଭଉଣୀଙ୍କୁ ବଞ୍ଚାଇବା ପୂର୍ବରୁ ଭାଲୁ ତାଙ୍କୁ ମଧ୍ୟ ପାଲଟା ଆକ୍ରମଣ କରିଥିଲା l ଯାହା ଫଳରେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ l
ନିକଟରେ ପାଖ କ୍ଷେତରେ କାମ କରୁଥିବା ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇ ସ୍ଥାନୀୟ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଶତାଧିକ ଲୋକ ଜମା ହେବା ସହିତ ବନ ବିଭାଗ କର୍ମଚାରୀ ମଧ୍ୟ ପହଞ୍ଚି ଥିଲେ l ବନ ବିଭାଗ ଏବଂ ଗ୍ରାମବାସୀମାନେ କୌଣସି ପ୍ରକାରେ ଆହତ ମହିଳା ଖୋରିନବାଇଙ୍କୁ ଉଦ୍ଧାର କରି କାଙ୍କେର ମେଡିକାଲକୁ ପଠାଇଥିଲେ। ଏହା ଭିତରେ ଦୁଇ ଭାଇଭଉଣୀ ହଲାଲଖୋର ଜୁରି ଏବଂ ଚାମାରୋନବାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l
ଲୋକେ ମୃତଦେହ ପାଖରେ ପହଞ୍ଚିବା ମାତ୍ରେ ଭାଲୁଟି ଲୋକଙ୍କ ପିଛା କରୁଥିଲା। ପ୍ରାୟ ଚାରି ଘଣ୍ଟା ପରେ ରାୟପୁରରୁ ବିଶେଷଜ୍ଞଙ୍କ ଏକ ଟିମ ପହଞ୍ଚି ଟ୍ରାଙ୍କୁଲାଇଜର ସାହାଯ୍ୟରେ ଭାଲୁକୁ ଅଚେତ କରି ନିୟନ୍ତ୍ରଣ କରିଥିଲେ l ଭାଲୁକୁ ନେଇଯିବା ପରେ ଉଭୟ ଭାଇଭଉଣୀଙ୍କ ମୃତଦେହ ଜବତ ହୋଇ ପାରିଥିଲା । ଭାଲୁଟି ଗୋଟିଏ ପରିବାର ତିନି ଭାଇଭଉଣୀଙ୍କୁ ଆକ୍ରମଣ କରିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।