ମାହାଙ୍ଗା: କଟକ ଜିଲ୍ଲାର ମାହାଙ୍ଗା ଥାନା ଅଧୀନ କୋଠପଦା ବଜାରରେ ଗୁରୁବାର ଏକ ହୃଦୟବିଦାରକ ଅଘଟଣ ଘଟିଛି। ଜଣେ ଶ୍ରମିକଙ୍କ ଜୀବନ ବଞ୍ଚାଇବାକୁ ସାହସିକ ପ୍ରୟାସ କରିଥିବା ଜଣେ ଯୁବକ ନିଜେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି।
ସୂଚନା ଅନୁସାରେ, କୋଠପଦା ବଜାର ସ୍ଥିତ ଗୌରୀ ପ୍ୟାଲେସ ମଣ୍ଡପ ପରିସରରେ ଏକ ନିର୍ମାଣଧୀନ ଆବର୍ଜନା ଟାଙ୍କିର ସଟରିଂ ଖୋଲାଯାଉଥିଲା। ଏହି ସମୟରେ ଜଣେ ଶ୍ରମିକ ଟାଙ୍କି ଭିତରେ ଫସିଯାଇଥିଲେ।
ଶ୍ରମିକଙ୍କୁ ବିପଦରେ ଦେଖି ସ୍ଥାନୀୟ କୋଠପଦା ଗାଁର ୨୮ ବର୍ଷୀୟ ପ୍ରମୋଦ ଜେନା କୌଣସି ବିଳମ୍ବ ନକରି ତାଙ୍କୁ ଉଦ୍ଧାର କରିବା ପାଇଁ ଟାଙ୍କି ଭିତରକୁ ପଶିଥିଲେ। କିନ୍ତୁ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ କିମ୍ବା ଅମ୍ଳଜାନର ଅଭାବ ଯୋଗୁଁ ସେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଫସିଯାଇଥିଲେ।
ଖବର ପାଇ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ତେବେ ଗୁରୁତର ଅବସ୍ଥାରେ ମାହାଙ୍ଗା ମେଡିକାଲକୁ ନେବା ବେଳେ ପ୍ରମୋଦ ଜେନାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ, ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମାହାଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ନିର୍ମାଣଧୀନ ଟାଙ୍କିରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।