ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ସାନ୍ତେମରା ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ମୌଳିକ ସୁବିଧାର ଅଭାବକୁ ନେଇ ବଡ଼ ଅସନ୍ତୋଷ ଦେଖାଦେଇଛି। ବର୍ଷ ବର୍ଷ ଧରି ସମସ୍ୟାର ସମାଧାନ ନ ହେବାରୁ ଶହ ଶହ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ନିଜ ନିଜ ଘରକୁ ଫେରିଯାଇଥିବା ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ହଷ୍ଟେଲରେ ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀ ରହୁଥିଲେ। କିନ୍ତୁ ସେମାନଙ୍କ ଅଭିଯୋଗ ଯେ, ହଷ୍ଟେଲର ନାମ ଥିଲେ ମଧ୍ୟ ରହିବା ପାଇଁ ସ୍ୱତନ୍ତ୍ର ଭବନ ନାହିଁ। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ରାତିରେ ଶୋଇବା ମଧ୍ୟ କଷ୍ଟକର ହେଉଛି।
ଏହାସହ ଭାତରେ ପୋକ ବାହାରିବା, ନିମ୍ନମାନର ଖାଦ୍ୟ, ଶୌଚାଳୟ ଓ ପିଇବା ପାଣିର ସମସ୍ୟା, ଖେଳ ସାମଗ୍ରୀର ଅଭାବ ଭଳି ଏକାଧିକ ସମସ୍ୟା ଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବାରୁ ସେମାନେ ହଷ୍ଟେଲ ଛାଡ଼ି ବ୍ୟାଗ ଧରି ନିଜ ଘରକୁ ଫେରିଯାଇଥିଲେ। କିଛି ଛାତ୍ରଛାତ୍ରୀ ୧୫ କିଲୋମିଟରରୁ ଅଧିକ ରାସ୍ତା ପାଦରେ ଚାଲି ନିଜ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି।
ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଭାବକ ମଧୁ ମାଝୀଙ୍କ କହିବା ଅନୁସାରେ, ନିମ୍ନମାନର ନିର୍ମାଣ କାରଣରୁ ବର୍ଷାରେ ଛାତରୁ ପାଣି ଗଳୁଛି, ପାଚେରୀ ଭୁଶୁଡ଼ି ପଡ଼ିଛି ଏବଂ ପାଣି ଓ ଶୌଚାଳୟ ସମସ୍ୟା ଯୋଗୁଁ ପିଲାମାନେ ବହୁ ଅସୁବିଧାରେ ରହୁଛନ୍ତି।
ଅନ୍ୟପକ୍ଷରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣା ହଷ୍ଟେଲରେ କିଛି ସମସ୍ୟା ଥିବା ସ୍ୱୀକାର କରିଥିବା ବେଳେ ଅନ୍ୟ କିଛି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ହଷ୍ଟେଲ ସମସ୍ୟାର ସମାଧାନ ହେଲେ ଛାତ୍ରଛାତ୍ରୀମାନେ ପୁଣି ଫେରିବେ। ଏହାସହ ଜିଲ୍ଲା ଶିକ୍ଷା ବିଭାଗ, ପ୍ରଶାସନ ଓ ଗ୍ରାମବାସୀଙ୍କ ସହଯୋଗରେ ହଷ୍ଟେଲର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି।
ଏପଟେ ଘଟଣାସ୍ଥଳରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ABEO) ଏବଂ ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିଥିଲେ। ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।