ଭୁବନେଶ୍ୱର: ଯେଉଁ ଯାତ୍ରା ଆରମ୍ଭ ହୋଇଥିଲା ଦେବଦର୍ଶନରୁ, ତାହା ଶେଷ ହେଲା ଅତ୍ୟନ୍ତ ଦୁଃଖଦ ଅନ୍ତିମ ଯାତ୍ରାରେ। ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ନଲଖେଡାରେ ବର୍ଷାଜଳରେ ଫୁଲିଥିବା ନାଳାରେ ଗାଡ଼ି ଭାସିଯିବା ଘଟଣାରେ ପ୍ରାଣ ହରାଇଥିବା ଭୁବନେଶ୍ୱରର ଏକ ପରିବାରର ୭ ଜଣଙ୍କ ମରଶରୀର ପୁରୀ ସ୍ୱର୍ଗଦ୍ୱାରରେ ଏକାସାଙ୍ଗେ ଦାହ କରାଯାଇଛି।
ଜୟଦେବ ବିହାର ଅଞ୍ଚଳର ଆତ୍ମାରାମ ବସ୍ତିରେ ରହୁଥିବା ପରିବାରର ମୃତଦେହଗୁଡ଼ିକ ସୋମବାର ଭୋରରୁ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା। ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ପ୍ରଶାସନର ଅଧିକାରୀ ଓ ପୁଲିସ ଟିମ୍ ତିନିଟି ଆମ୍ବୁଲାନ୍ସରେ ମରଶରୀର ନେଇ ଭୁବନେଶ୍ୱରରେ ପହଞ୍ଚିଥିଲେ।
ମରଶରୀର ପହଞ୍ଚିବା ଖବର ପାଇବା ପରେ ଜୟଦେବ ବିହାର ଓ ଆତ୍ମାରାମ ବସ୍ତିରେ ଶୋକର ଛାୟା ଖେଳିଯାଇଥିଲା। ବହୁ ସଂଖ୍ୟାରେ ସମ୍ପର୍କୀୟ, ପଡ଼ୋଶୀ ଓ ସ୍ଥାନୀୟ ଲୋକ ଶେଷ ଦର୍ଶନ ପାଇଁ ଏକାଠି ହୋଇଥିଲେ। ପରେ ମରଶରୀରଗୁଡ଼ିକୁ ଗଡ଼କଣାସ୍ଥିତ ପୈତୃକ ଘରକୁ ନିଆଯାଇଥିଲା। ସେଠାରେ ପରିବାର ଓ ଗ୍ରାମବାସୀ ଶେଷ ଦର୍ଶନ କରିବା ପରେ ସମସ୍ତ ମରଶରୀରକୁ ପୁରୀ ନିଆଯାଇଥିଲା।
ସ୍ୱର୍ଗଦ୍ୱାରରେ ୭ଟି ଜୁଇ ଏକାସାଙ୍ଗେ ଜଳିବା ବେଳେ ସୃଷ୍ଟି ହୋଇଥିଲା ହୃଦୟବିଦାରକ ପରିବେଶ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରୀତାରାଣୀ, ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ ସମେତ ରାଧାରାଣୀଙ୍କୁ ତାଙ୍କ ଭାଇ ଦିଲ୍ଲୀପ ମୁଖାଗ୍ନି ଦେଇଥିବାବେଳେ ଶିବପ୍ରସାଦ ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ମୁଖାଗ୍ନି ଦେଇଥିଲେ।
ଏହି ଦୁଃଖଦ ଘଟଣାରେ ସାତଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ସହ ଗାଡ଼ି ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ମା' ବଗଳାମୁଖୀ ମନ୍ଦିର ଦର୍ଶନ ପରେ ଫେରୁଥିବା ସମୟରେ ବର୍ଷାଜଳର ପ୍ରଖର ସ୍ରୋତରେ ଗାଡ଼ିଟି ଭାସିଯାଇଥିଲା।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏପଟେ ମୃତକଙ୍କ ପରିବାର ପକ୍ଷରୁ ଘଟଣାସ୍ଥଳରେ ସୂଚନା ଫଳକ ଓ ବ୍ୟାରିକେଡିଂ ନଥିବା ନେଇ ମଧ୍ୟପ୍ରଦେଶ ପ୍ରଶାସନକୁ ଦାୟୀ କରାଯାଇଛି।