ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ଦିନ ସାଢେ ୧୧ଟାରେ ଏହି ବୈଠକ ଆରମ୍ଭ ହେବ । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିବା ନେଇ ଏହି ବୈଠକରେ ଆଲୋଚନା ହୋଇପାରେ ।
ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଚଳିତ ମୌସୁମୀ ଅଧିବେଶନ ବେଶ ସରଗରମ ରହିପାରେ। ଏକାଧିକ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏମଏମଡିଆର ସଂଶୋଧନ, ବହି ତ୍ରୁଟି, ବନ୍ୟା ପରିଚାଳନା, ଆଇନ ଶୃଙ୍ଖଳାକୁ ପ୍ରମୁଖ ପ୍ରସଙ୍ଗ ଭାବେ ବିଧାନସଭାରେ ଉଠାଇବେ ।
ଅନ୍ୟପଟେ ଅପରାହ୍ନରେ ରହିଛି ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେବ ରଣନୀତି। ତା ସହ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ଅଛି । ବିଧାୟକ ଦଳ ବୈଠକ କରି କାଉଣ୍ଟର ଷ୍ଟ୍ରାଟେଜି ତିଆରି କରିବ ସରକାରୀ ଦଳ । ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ଥିବା ବେଳେ ଅଧିବେଶନ ବେଶ ସରଗରମ ରହିବ।