ଭୁବନେଶ୍ୱର : ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ଅଧୀନରେ ପ୍ରଥମ ତୀର୍ଥଯାତ୍ରାର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି।ଆଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୯୧୦ ଜଣ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଦର୍ଶନ କରିବେ। ଅକ୍ଟୋବର ୧୭ ସୁଦ୍ଧା ୧୩ ଜିଲ୍ଲାର ୧୦ ହଜାର ୫୩୫ ଶ୍ରଦ୍ଧାଳୁ ଦର୍ଶନ କରିବେ ।
ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଅଧୀନରେ ଗରିବ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ବିଧବା ମହିଳାମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ଉଦ୍ଦେଶ୍ୟରେ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା' କରାଯାଇଛି। ।
ଏହି ଯୋଜନା ଅଧୀନରେ ଯାଉଥିବା ଭକ୍ତମାନଙ୍କୁ ସରକାରଙ୍କ ତରଫରୁ ଏସି ବସ୍ ମାଧ୍ୟମରେ ପୁରୀ ଯିବାଆସିବା ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସହଜ ଦର୍ଶନର ବ୍ୟବସ୍ଥା କରାଯିବ। ଯାତ୍ରା ସମୟରେ ଭକ୍ତମାନଙ୍କ ପାଇଁ ମାଗଣା ଖାଦ୍ୟ ଏବଂ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅନ୍ନ ମହାପ୍ରସାଦ ସେବନର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର କିଟ୍ ବ୍ୟାଗ୍ (ଯେଉଁଥିରେ ପାଣି ବୋତଲ, ଟୋପି, ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଥିବ) ପ୍ରଦାନ କରାଯିବା ସହ ₹୩ ଲକ୍ଷ ପର୍ଯ୍ୟନ୍ତ ଗ୍ରୁପ୍ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ମଧ୍ୟ ମିଳିବ ।