ଭୁବନେଶ୍ୱର: ମଧ୍ୟ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପର୍ଯ୍ୟଟକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସେମିକନ ୨୦୨୬ରେ ଯୋଗ ଦେଇ ଆଜି ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦର ଠାରେ ଗଣମାଧ୍ୟମ ଆଗରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କ ଅଧିକାରୀମାନେ ମଧ୍ୟପ୍ରଦେଶ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ମୃତ ପର୍ଯ୍ୟଟକଙ୍କ ମରଶରୀରକୁ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ।
ଏହି ଘଟଣାରେ କେନ୍ଦ୍ର ସରକାର ମଧ୍ୟ ପ୍ରତି ମୃତକଙ୍କ ପାଇଁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିସାରିଛନ୍ତି ।
ଶନିବାର ଆଗର-ମାଲୱା ଜିଲ୍ଲାର ନଲଖେଡ଼ା ସ୍ଥିତ ମାଆ ବଗଲାମୁଖୀ ମନ୍ଦିର ନିକଟରେ ବର୍ଷାରେ ଫୁଲିଥିବା ଏକ ସ୍ରୋତ ଅତିକ୍ରମ କରୁଥିବାବେଳେ କାରଟି ପ୍ରବଳ ପାଣି ସ୍ରୋତରେ ଭାସିଯାଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବନମାଳୀ ବେହେରାଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି। ମୃତକମାନଙ୍କ ମଧ୍ୟରେ ବନମାଳୀ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ଓ ରୀତାରାଣୀ, ଜ୍ୱାଇଁ ଜ୍ଞାନେନ୍ଦ୍ର, ଦୁଇ ନାତି ଓ ଜଣେ ନାତୁଣୀ ରହିଛନ୍ତି । ସ୍ଥାନୀୟ କାର୍ ଚାଳକ କୃଷ୍ଣ ରାଜବୀରଙ୍କ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣହାନି ଘଟିଛି ।