କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ପୁଣି ହାତୀ ଆତଙ୍କ ମୁଣ୍ଡ ଟେକିଛି। ଉଖୁଣ୍ଡା ସେକସନ୍ ଅଧୀନ ବର୍ଦ୍ଧନା ଗାଁରେ ଏକାଥରେ ୨୫ ଟିକିଆ ହାତୀପଲ ପସି ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଘଟଣା ପରେ କେବଳ ବର୍ଦ୍ଧନା ନୁହେଁ, ଆଖପାଖ ଗାଁରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ହାତୀପଲଟି ମଙ୍ଗଳପୁର ଜଙ୍ଗଲରୁ ବାହାରି ଝାଲିଆବେଡ଼ା ଜଙ୍ଗଲ ଦେଇ ବର୍ଦ୍ଧନା ଗାଁରେ ପହଞ୍ଚିଥିଲା। ଗାଁରେ ପସିବା ପରେ ଏକ ଘର ଭାଙ୍ଗିବା ସହ ଧାନ ବିଲରେ ମାଡ଼ିଯାଇ ପକ୍କା ଫସଲକୁ ଉଜାଡ଼ି ଦେଇଥିଲେ। ଫସଲ କ୍ଷତି ଯୋଗୁଁ ଚାଷୀମାନଙ୍କ ଚିନ୍ତା ବଢ଼ିଥିବା ବେଳେ ରାତି ହେଲେ ଘରୁ ବାହାରିବାକୁ ଲୋକେ ସାହସ କରୁନାହାନ୍ତି।
ସବୁଠାରୁ ବଡ଼ କଥା ହେଲା, ଏହି ୨୫ ଟିକିଆ ହାତୀପଲ ମଧ୍ୟରେ ୩ଟି ଦନ୍ତା, ୧୨ଟି ମାଈ ହାତୀ ଏବଂ ୧୦ଟି ଛୁଆ ହାତୀ ରହିଛନ୍ତି। ଏତେ ବଡ଼ ହାତୀପଲ ଏକାସାଙ୍ଗରେ ଗାଁ ନିକଟରେ ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି।
ଗତ କିଛି ଦିନ ଧରି ଚମ୍ପୁଆ ରେଞ୍ଜ ଅଧୀନ ବିଭିନ୍ନ ଗାଁରେ ଏହି ହାତୀପଲ ପସି ବାରମ୍ବାର କ୍ଷୟକ୍ଷତି ଘଟାଉଥିବାର ଅଭିଯୋଗ ରହିଛି। ଫଳରେ ଲୋକେ ବନ ବିଭାଗକୁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ବନ ବିଭାଗ ହାତୀପଲର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିଛି। ବନ କର୍ମଚାରୀମାନେ ହାତୀଙ୍କୁ ସୁରକ୍ଷିତ ଭାବେ ପୁଣି ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।