ଭୁବନେଶ୍ୱର: ରାଜଧାନୀର ପ୍ରସିଦ୍ଧ ଏକାମ୍ର କ୍ଷେତ୍ରରେ ଦୀର୍ଘ ୨୦ ଘଣ୍ଟା ଧରି ଜାରି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ମନ୍ଦିର ପ୍ରଶାସନର ହସ୍ତକ୍ଷେପ ଏବଂ ସେବାୟତଙ୍କ ସହ ଆପୋଷ ଆଲୋଚନା ପରେ ଶେଷରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ସ୍ବାଭାବିକ ଭାବେ ଆରମ୍ଭ ହୋଇଛି। ବ୍ରାହ୍ମଣ ନିଯୋଗ ସଭାପତି ଏହି ସୂଚନା ପ୍ରଦାନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରୁ ପଞ୍ଚବକ୍ରଙ୍କ ନୀତିକାନ୍ତିକୁ ନେଇ ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ମଧ୍ୟରେ ଏକ ବିବାଦ ଦେଖାଦେଇଥିଲା। ଉଭୟ ନିଯୋଗ ଭିତରେ ସମନ୍ୱୟର ଅଭାବ ରହିବାରୁ ମନ୍ଦିରର ମୁଖ୍ୟ ଦୈନନ୍ଦିନ ନୀତିଗୁଡ଼ିକ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇ ପଡ଼ି ରହିଥିଲା। ଫଳରେ ମହାପ୍ରଭୁ ଉପାସରେ ରହିଥିବା ନେଇ ଭକ୍ତଙ୍କ ମହଲରେ ଚିନ୍ତା ପ୍ରକାଶ ପାଇଥିଲା।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ଏଡିଏମ (ADM) ତଥା ଲିଙ୍ଗରାଜ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିଚାଳନା ବୋର୍ଡ ସହ ଉଭୟ ବ୍ରାହ୍ମଣ ନିଯୋଗ ଏବଂ ପୂଜା ପଣ୍ଡା ନିଯୋଗର ପ୍ରତିନିଧିମାନେ ଏହି ଆଲୋଚନାରେ ସାମିଲ ହୋଇଥିଲେ।
ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁଙ୍କ ନୀତି ସମ୍ପାଦନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା। ଶେଷରେ ସମସ୍ତଙ୍କ ସହମତିକ୍ରମେ ବିବାଦର ସମାଧାନ ହୋଇଥିବାବେଳେ ମନ୍ଦିରରେ ପୁଣି ଥରେ ପୂର୍ବଭଳି ଆଧ୍ୟାତ୍ମିକ ପରିବେଶ ଫେରିଆସିଛି।