ଭୁବନେଶ୍ୱର:ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଚିନ୍ତାର ବିଷୟ ସାମ୍ନାକୁ ଆସିଛି। ଆଣ୍ଡାମାନ ସାଗରରେ ସୃଷ୍ଟ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ତାରିଖ ଆଡ଼କୁ ପାଣିପାଗରେ ବଡ଼ଧରଣର ପରିବର୍ତ୍ତନ ଏବଂ ସିଷ୍ଟମ ଘନୀଭୂତ ହେବାର ଆଶଙ୍କା ରହିଛି। ତେବେ ଏହାକୁ ନେଇ ଆତଙ୍କିତ ନ ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାଣଙ୍କୁ ନିବେଦନ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଥାଇଲାଣ୍ଡ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଆଗକୁ ବଢ଼ି ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିଛି। ଏହା ପ୍ରଭାବରେ ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ତେବେ ଏହି ଲଘୁଚାପଟି ଆଗକୁ କେଉଁ ସ୍ୱରୂପ ନେବ, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଆସନ୍ତା ୨୩ ତାରିଖ ଆଡ଼କୁ ଏହି ସିଷ୍ଟମଟି ଆହୁରି ଘନୀଭୂତ ହୋଇପାରେ ବୋଲି ଆକଳନ କରାଯାଉଛି।
ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭୟଭୀତ ହୁଅନ୍ତୁ ନାହିଁ
ପ୍ରଭାବିତ ପରିସ୍ଥିତିକୁ ନେଇ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସରକାର ସମ୍ପୂର୍ଣ୍ଣ ସତର୍କ ଏବଂ ପ୍ରସ୍ତୁତ ଅଛନ୍ତି। ବିଭାଗୀୟ ଅଧିକାରୀମାନେ ନିରନ୍ତର ଭାରତୀୟ ପାଣିପାଗ ବିଭାଗ (IMD) ସହ ଯୋଗାଯୋଗରେ ଅଛନ୍ତି। ମନ୍ତ୍ରୀ ଜନସାଧାଣଙ୍କୁ ଅନୁରୋଧ କରି କହିଛନ୍ତି, "ଲୋକମାନେ କୌଣସି ପ୍ରକାରେ ବିଚଳିତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ। ସରକାର ସମସ୍ତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।"
ବାରମ୍ବାର ଲଘୁଚାପ ଓ ନଦୀ ଅବବାହିକା ସମସ୍ୟା
ଚଳିତ ମୌସୁମୀ ଋତୁରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟକୁ ପ୍ରଭାବିତ କରିଛି। ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ଗତ ଅଢ଼େଇ ମାସ ଭିତରେ ରାଜ୍ୟରେ ପ୍ରାୟ ୧୧ ଥର ଲଘୁଚାପ ସୃଷ୍ଟି ହୋଇସାରିଲାଣି। ଏଥିସହ ଓଡ଼ିଶା ସମେତ ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ବନ୍ୟା ପ୍ରକୋପ ଯୋଗୁଁ ନଦୀ ଅବବାହିକାଗୁଡ଼ିକ ମଧ୍ୟ ଦୁର୍ବଳ ହୋଇପଡ଼ିଛି।