ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ପୌରପାଳିକା ଓ ଏନ୍ଏସି ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାର୍ଡ ସୀମା ନିର୍ଦ୍ଧାରଣ (Delimitation) ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଏହି ପ୍ରକ୍ରିୟା ଅକ୍ଟୋବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।
ସରକାରୀ ସମୟସୂଚୀ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୬ ସୁଦ୍ଧା ପୌରପାଳିକା ଓ ଏନ୍ଏସିଗୁଡ଼ିକର ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ସାଧାରଣ ଲୋକଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ୱାନ କରାଯିବ।
୩ ଅକ୍ଟୋବର ପର୍ଯ୍ୟନ୍ତ ଆପତ୍ତି ଓ ପରାମର୍ଶ ଦାଖଲ କରିହେବ। ସମସ୍ତ ଆପତ୍ତିର ସମୀକ୍ଷା ପରେ ୭ ଅକ୍ଟୋବରରେ ପ୍ରୋଭିଜନାଲ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହି ବିଜ୍ଞପ୍ତିରେ ଅସନ୍ତୁଷ୍ଟ ବ୍ୟକ୍ତିମାନେ ୭ରୁ ୨୧ ଅକ୍ଟୋବର ମଧ୍ୟରେ ରାଜ୍ୟ ସରକାରଙ୍କ ନିକଟରେ ଅପିଲ କରିପାରିବେ।
୨୨ ଅକ୍ଟୋବର ସୁଦ୍ଧା ସମସ୍ତ ଅପିଲ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ପରେ ୨୬ରୁ ୨୮ ଅକ୍ଟୋବର ମଧ୍ୟରେ ଅପିଲର ଶୁଣାଣି ଓ ନିଷ୍ପତ୍ତି କରାଯିବ। ଶେଷରେ ୩୧ ଅକ୍ଟୋବର ୨୦୨୬ରେ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।
ଏହି ସଂଶୋଧିତ ସମୟସୂଚୀ ମାଧ୍ୟମରେ ପୌର ନିର୍ବାଚନ ପୂର୍ବରୁ ୱାର୍ଡ ସୀମା ଓ ସଂରକ୍ଷଣ ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।