ସମ୍ବଲପୁର: ଫେସବୁକ୍ରେ ନକଲି ପରିଚୟ, ଚାଟିଂରେ ବନ୍ଧୁତା, ତା’ପରେ ଟଙ୍କା ଡବଲ୍ କରିଦେବାର ଲୋଭ। ଏମିତି ଏକ ଚତୁର ଠକେଇ ମାମଲାରେ ସମ୍ବଲପୁର ସାଇବର ପୋଲିସ ଦୁଇ ଭଉଣୀ ଓ ସେମାନଙ୍କ ଭାଇଙ୍କୁ ଗିରଫ କରିଛି। ଜଣେ ବ୍ୟାଙ୍କ ଅଧିକାରୀଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ବାବୁପଡ଼ାର ରାଜକୁମାରୀ ବାଡ଼ି (୨୪), ଝରଣା ବାଡ଼ି (୩୨) ଓ ରାଜେଶ ବାଡ଼ି (୩୮)। ସେମାନେ ବର୍ତ୍ତମାନ ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ସାଇଁପାଲିରେ ଭଡ଼ା ଘରେ ରହୁଥିଲେ। ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ ଠକେଇର ପୂରା ତଥ୍ୟ ଦେଇଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଜୁନ୍ ୨୦୨୬ରେ ରାଉରକେଲାର ଭାରତୀ AXA ଲାଇଫ୍ ଇନ୍ସୁରାନ୍ସର ଜଣେ ବ୍ରାଞ୍ଚ ମ୍ୟାନେଜର ଲିପକ କୁମାର ପ୍ରଧାନ ସାଇବର ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ‘ଦିଶା ଅଗ୍ରୱାଲ’ ନାମରେ ଏକ ଫେକ୍ ଫେସବୁକ୍ ପ୍ରୋଫାଇଲ୍ ଖୋଲି ତାଙ୍କ ସହ ବନ୍ଧୁତା କରିଥିଲେ।
କିଛି ଦିନ ଚାଟିଂ କରି ବିଶ୍ୱାସ ଜିତିବା ପରେ ସେମାନେ ଟଙ୍କା ଡବଲ୍ କରିବା ମେସିନ୍ ଥିବା କହିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ସମ୍ବଲପୁରର ଏକ ହୋଟେଲରେ ଟଙ୍କା ଡବଲ୍ କରିବାର ଡେମୋ ମଧ୍ୟ ଦେଖାଇଥିଲେ।
ଏହି ଡେମୋରେ ବିଶ୍ୱାସ କରି ଅଭିଯୋଗକାରୀ ଘର ଋଣରୁ ୨୫ ଲକ୍ଷ ଟଙ୍କା ଉଠାଇଥିଲେ। ପରେ ଅନୁଗୁଳର ଏକ ହୋଟେଲରେ ଅଭିଯୁକ୍ତମାନଙ୍କୁ ଭେଟିଥିଲେ। ସେଠାରେ ଅଭିଯୁକ୍ତମାନେ ସମାନ ଦେଖାଯାଉଥିବା ଦୁଇଟି ବ୍ୟାଗ୍ ବ୍ୟବହାର କରିଥିଲେ। USB ଡ୍ରାଇଭ୍ ଓ ବାଇକ୍ ଚାବି ଆଣିବା ବାହାନାରେ ତାଙ୍କ ଧ୍ୟାନ ହଟାଇ ଟଙ୍କା ଥିବା ବ୍ୟାଗ୍ ବଦଳାଇ ଦେଇଥିଲେ। ପରେ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ।
ଅଭିଯୋଗ ପରେ ସମ୍ବଲପୁର ସାଇବର ପୋଲିସ କେସ୍ ନମ୍ବର ୨୩/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସାଇବର ଡିଏସ୍ପି ଓ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଟିମ୍ ତଦନ୍ତ କରି ଝାରସୁଗୁଡ଼ାରୁ ତିନି ଅଭିଯୁକ୍ତଙ୍କୁ ଧରିଥିଲା। ସେମାନଙ୍କଠାରୁ ୧୫.୮୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବା ବେଳେ ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ। ଠକେଇ ଟଙ୍କାରେ ଅଳଙ୍କାର କିଣାଯାଇଥିବା କିମ୍ବା ମୁଥୁଟ୍ ଫାଇନାନ୍ସରୁ ଗଚ୍ଛିତ ସୁନା ମୁକ୍ତ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ସମାନ କୌଶଳରେ ଏହି ଗ୍ୟାଙ୍ଗ୍ ରାଉରକେଲାର ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ରହିଛି। ଅଭିଯୁକ୍ତମାନଙ୍କୁ ଜୁଡିସିଆଲ୍ କଷ୍ଟଡିକୁ ପଠାଯାଇଥିବା ବେଳେ ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି।