ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । କିଛି ଘରୋଇ ସଂସ୍ଥା ପକ୍ଷରୁ ବାତ୍ୟାକୁ ନେଇ କରାଯାଉଥିବା ପୂର୍ବାନୁମାନ ଉପରେ ପ୍ରତିକ୍ରିୟା ଦେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟା ଆସୁ ସରକାର ୩୬୫ ଦିନ ପାଇଁ ପ୍ରସ୍ତୁତ ଅଛନ୍ତି। ଘରୋଇ ସଂସ୍ଥାମାନେ ନିଜ ନିଜ ଆକଳନ କରୁଛନ୍ତି। ସରକାର ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ଆକଳନ ଓ ଆଗୁଆ ସୂଚନା ପାଇଁ ରାଜ୍ୟରେ ଅତ୍ୟାଧୁନିକ ଡପଲର୍ ରାଡାର୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଉଛି । ଯାହା ବି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ଏବଂ ଆସିବ ତାକୁ ଆମେ ପ୍ରତିହତ କରିପାରିବା ସେମାନେ ଯାହା ପୂର୍ବାନୁମାନ ଲଗାଉଛନ୍ତି ଲଗାନ୍ତୁ କିନ୍ତୁ ଆମ ୩୬୫ ଦିନ ପ୍ରସ୍ତୁତ ଅଛୁ । ଏବେ ଯାଏଁ ବାତ୍ୟା ନେଇ ସେଭଳି କୌଣସି ନିଶ୍ଚିତ ଆକଳନ ହୋଇନାହିଁ। ରାଜ୍ୟ ଉପରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ । ଗତକାଲି ସମ୍ବଲପୁରରେ ଡପଲର୍ ରାଡାର୍ ସ୍ଥାପନ କରାଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର, ବାଲେଶ୍ୱର ଓ ଗୋପାଳପୁରରେ ମଧ୍ୟ ଅତ୍ୟାଧୁନିକ ଡପଲର୍ ରାଡାର୍ ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଗତିପଥ ଓ ପ୍ରଭାବକୁ ଅଧିକ ସଠିକ୍ ଭାବେ ଆକଳନ କରିହେବ ବୋଲି କୁହାଯାଇଛି ।