ନୂଆଦିଲ୍ଲୀ: ତାମିଲନାଡୁର ପ୍ରତ୍ୟେକ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗରେ ଥାଲାପତି ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନାର ଶୀକାର ହେବାକୁ ପଡ଼ିଛି । ପ୍ରତ୍ୟେକ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଖୋଜିବା ଅନ୍ତରୀଣ ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ତାମିଲନାଡୁ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହିତ କୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ଜମି ଚୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଚାରପତି ବି.ଭି. ନାଗାରତ୍ନା ଓ ବିଚାରପତି ଅଗଷ୍ଟିନ ଜର୍ଜ ମସୀହ ଖଣ୍ଡପୀଠ ତାମିଲନାଡ଼ୁ ସରକାରଙ୍କ ତିନି ଭାଷା ନିୟମର ବିରୋଧ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ବିଚାରପତି ବି.ଭି. ନାଗାରତ୍ନା ତାମିଲନାଡ଼ୁ ସରକାରଙ୍କୁ ନିଜର ମାନସିକତାରେ ପରିବର୍ତ୍ତନ କରିବାକୁ କହିଛନ୍ତି । "ରାଜ୍ୟର ମାଟିରୁ ହିନ୍ଦୀକୁ ବାହାରେ ରଖାଯାଇପାରିବ ନାହିଁ" ବୋଲି କହିଛନ୍ତି କୋର୍ଟ । ଭାଷା ବିବାଦ ସହିତ ଜଡିତ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ସହିତ ସହଯୋଗ ସଂଘୀୟତାର ଭାବନାରେ ଆଲୋଚନା କରାଯିବା ଉଚିତ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନବୋଦୟ ବିଦ୍ୟାଳୟଗୁଡ଼ିକ ରାଜ୍ୟ ନୀତି ବିରୁଦ୍ଧରେ ନୁହେଁ । ଗୋଟିଏ ରାଜ୍ୟ କେବଳ କେନ୍ଦ୍ର ସରକାରଙ୍କ ନୀତିକୁ ଗ୍ରହଣ କରିବାକୁ ମନା କରିପାରିବ ନାହିଁ । ଖାଲି ସେତିକି ନୁହେଁ ଚେନ୍ନାଇ ଲୋକଙ୍କୁ ଦିଲ୍ଲୀଠାରୁ ଦୂରତା ରଖିବା ଉଚିତ ନୁହେଁ । ରାଜ୍ୟରେ ଭଲ କାମ କରନ୍ତୁ ଏବଂ ଭଲ କାମ କରିବା ଦ୍ୱାରା ଆପଣଙ୍କ ସମ୍ମାନ ହାନି ହେବ ନାହିଁ ବୋଲି କୋର୍ଟ କହିଛନ୍ତି ।
ତାମିଲନାଡୁ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଜୟଦୀପ ଗୁପ୍ତା ଯୁକ୍ତି ଦେଇଥିଲେ ଯେ ନବୋଦୟ ବିଦ୍ୟାଳୟ ନୀତି ରାଜ୍ୟର ନିଜସ୍ୱ ଭାଷା ନୀତିର ବିରୋଧ କରୁଛି ଏବଂ ତାମିଲ ଉପରେ ହିନ୍ଦୀକୁ ଥୋପିବାକୁ ଚେଷ୍ଟା କରୁଛି । ଏହି ନୀତି ଇଚ୍ଛାଧୀନ ଏବଂ କୋର୍ଟ ରାଜ୍ୟକୁ କୌଣସି ସରକାରୀ ନୀତି କାର୍ଯ୍ୟକାରୀ କରିବାକୁ ବାଧ୍ୟ କରିପାରିବେ ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪ ତାରିଖରେ ହେବ।
ଉଲ୍ଲେଖ ଯୋଗ୍ୟ, ତାମିଲନାଡୁ ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଗୋଟିଏ ମଧ୍ୟ ନବୋଦୟ ବିଦ୍ୟାଳୟ ନାହିଁ । ନବୋଦୟ ବିଦ୍ୟାଳୟ ଖୋଲା ଗଲେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ତିନି ଭାଷା ନିୟମ ଲାଗୁ ହେବ । ମାଡ୍ରାସ ହାଇକୋର୍ଟ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଷ୍ପତ୍ତିକୁ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।