ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ଭରତପୁର ଚନ୍ଦକା ରାସ୍ତାରେ ଏକ ଆହତ ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ ଆଜି ସକାଳୁ ଅନ୍ଧାରୁଆ ଗ୍ରାମ ନିକଟ ଭରତପୁର-ଚନ୍ଦକା ମୁଖ୍ୟ ରାସ୍ତାରେ ଏହି ଆହତ ଦନ୍ତା ହାତୀଟି ବାମଗୋଡ଼ରେ ଆଘାତ ଲାଗିଥିବାରୁ ଛୋଟେଇ ଛୋଟେଇ ବୁଲୁଛି । ଦୁଇ ଦିନ ପୂର୍ବେ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରେ ହାତୀଟିର ବାମ ପଟ ଆଗ ଗୋଡ଼ ଆହତ ହୋଇଥିଲା। ସେତେବେଳେ ବନ ବିଭାଗ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପରେ ହାତୀଟି ଜଙ୍ଗଲକୁ ଫେରିଯାଇଥିଲା। ତେବେ ଗତକାଲି ରାତିରେ ପୁଣି ହାତୀଟିକୁ ଅନ୍ଧାରୁଆ ଗ୍ରାମ ନିକଟରେ ବୁଲୁଥିବାର ଦେଖାଯାଇଥିଲା। ଆଜି ଭୋର ସମୟରେ ମୁଖ୍ୟ ରାସ୍ତା ଉପରକୁ ଚାଲି ଆସିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହି ଗମନାଗମନ ବାଧାପ୍ରାପ୍ତ ହେବା ସହ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।
ଶେଷ ସୂଚନା ମୁତାବକ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଜଙ୍ଗଲକୁ ଫେରାଇ ନେବାକୁ ଚେଷ୍ଟା କରୁଥିଲେ ।