ଭଗବାନ ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ସୃଷ୍ଟିକର୍ତ୍ତା । ଆଜି ସେହି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଭରିଯାଇଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି। ବିଶ୍ବକର୍ମାଙ୍କୁ ଶିଳ୍ପୀ ସମାଜର ସ୍ରଷ୍ଟା ବୋଲି କୁହାଯାଏ। ମର୍ତ୍ତ୍ୟଲୋକରେ ନିର୍ମାଣ ହୋଇଥିବା ଯନ୍ତ୍ରପାତି,କଳକାରଖାନା ଓ ମେସିନ୍ ଆଦି ବିଶ୍ବକର୍ମାଙ୍କ ନିର୍ମାଣ ବୋଲି କୁହାଯାଏ। ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।
ପୁରାଣ ଓ ଧାର୍ମିକ କଥାବସ୍ତୁରେ ଏହି ପୂଜାର ବେଶ ଗୁରୁତ୍ବ ରହିଛି। ପ୍ରଭୁ ବିଶ୍ବକର୍ମା ଦେବତାମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର, ଭବନ ଓ ନଗର ନିର୍ମାଣରେ ତାଙ୍କର ଭୂମିକା ରହିଛି। ଲଙ୍କା ନଗରୀ ,ଦ୍ୱାରକା ନଗରୀ ନିର୍ମାଣ ସହିତ ମଧ୍ୟ ବିଶ୍ୱକର୍ମାଙ୍କ ନାମ ଜଡ଼ିତ । ଏହାଛଡ଼ା ଦେବରାଜ ଇନ୍ଦ୍ରଙ୍କ ବଜ୍ର,ଶିବଙ୍କର ତ୍ରିଶୂଳ, ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଭଳି ଦିବ୍ୟ ଅସ୍ତ୍ର ନିର୍ମାଣ ସହିତ ମଧ୍ୟ ତାଙ୍କୁ ଯୋଡ଼ାଯାଏ । ଦାନବୀର କର୍ଣ୍ଣଙ୍କର କୁଣ୍ଡଳ,ପୁଷ୍ପକ ବିମାନ,ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ବିଶ୍ବକର୍ମା ନିର୍ମାଣ କରିଥିଲେ ବୋଲି ପୌରାଣିକ ମତ ରହିଛି ।
ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କାରିଗରୀ କଳା,ଶ୍ରମ, ଯନ୍ତ୍ରପାତି ଏବଂ ନିର୍ମାଣ କୌଶଳ ପ୍ରତି ସମ୍ମାନ ଜଣାଇବା । ଏହି ଦିନ ବିଶେଷକରି, କାରଖାନା ଓ ୱାର୍କଶପ୍ରେ ଥିବା ମେସିନ୍, ଯନ୍ତ୍ରପାତି ଏବଂ ଉପକରଣକୁ ସଫା କରି ପୂଜା କରାଯାଏ । ତେଣୁ ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଅବସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆରାଧନା କରି ସମୃଦ୍ଧି ଓ କାର୍ଯ୍ୟରେ ସଫଳତା ପାଇଁ ପ୍ରାର୍ଥନା କରାଯାଇଥାଏ।
ଆଜି ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ଛୋଟବଡ ପ୍ରାୟ ୩୦ରୁ ୪୦ ଟି ମଣ୍ଡପରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଉଛନ୍ତି । ଚଳିତ ବର୍ଷ ଶ୍ରମିକ ସଂଗଠନ ଗୁଡିକ ସମେତ ବନ୍ଦରର ବିଭିନ୍ନ ବିଭାଗ, ଟ୍ରକ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ପୂଜା ଧୂମଧାମରେ ଆୟୋଜନ କରିଛନ୍ତି। ଆକର୍ଷଣୀୟ ତୋରଣ ସଜେଇଛନ୍ତି। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।