ସମ୍ବଲପୁର: ସମ୍ବଲପୁରକୁ ୯୬୦ କୋଟି ଟଙ୍କାର ଭେଟି ଦେଇଛନ୍ତି ରାଜ୍ୟ ସରକାର । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ, ବୀର ସୁରେନ୍ଦ୍ର ସାଏ, ଶହିଦ ମାଧୋ ସିଂ, ଛବିଲ ସାଏ, ସନ୍ଥକବି ଭୀମଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏବଂ 'ସମୃଦ୍ଧ ଓଡ଼ିଶା ୨୦୩୬' ଗଠନ ସଂକଳ୍ପରେ ସମ୍ବଲପୁର ହେଉଛି ରାଜ୍ୟ ସରକାରଙ୍କ ବିକାଶ ଯାତ୍ରାର ମୁଖ୍ୟ କେନ୍ଦ୍ର । ସମ୍ବଲପୁରୀ ଭାଷା, ସଂସ୍କୃତି, ଗୀତ ଓ ଶାଢ଼ୀ ସମଗ୍ର ଆଞ୍ଚଳିକ ପରିଚୟର ଗୌରବ। ଆଜି ଉଦ୍ଘାଟିତ ଓ ଶିଳାନ୍ୟାସ ହୋଇଥିବା ୯୬୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଏବଂ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ସାମିଲ ଅଛି । ଏଥିରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ (କୁଚିଣ୍ଡା ପାଇଁ ୬୦.୫୦ କୋଟି), କ୍ରୀଡ଼ା (୭୪.୭୨ କୋଟି), ସଡ଼କ ଓ କୋଠା ନିର୍ମାଣ (୫୮୫ କୋଟି) ଏବଂ ଜଳସମ୍ପଦ କ୍ଷେତ୍ରରେ ୨୨୦.୫୬ କୋଟି ଟଙ୍କାର ମେଗା ଲିଫ୍ଟ ଜଳସେଚନ ଓ ୮.୮୮ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ।
ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ଗତ ଜାନୁଆରୀ ୨୦୨୬ରେ ସେ ୯୪୮ କୋଟି ଟଙ୍କାର ପ୍ରକଳ୍ପ ସହ ୫୦ଟି ବୈଦ୍ୟୁତିକ ବସ୍ର ଶୁଭାରମ୍ଭ କରିଥିଲେ । ଅଇଁଠାପାଲି ବସ୍ ଟର୍ମିନାଲ୍ ଓ ଏହାର ୧୦ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରରେ ଜଳସଙ୍କଟ ଓ ଜଣ୍ଡିସ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ AMRUT ୨.୦ ଅଧୀନରେ ୪୫୦ କୋଟି ଟଙ୍କାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ଜରିଆରେ ୪୧ଟି ୱାର୍ଡକୁ ୧୦୦ ନିୟୁତ ଲିଟର ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ। ଏତଦ୍ବ୍ୟତୀତ, ବୁର୍ଲା ଓ ହୀରାକୁଦ ରିଙ୍ଗ୍ ରୋଡ୍, ରେମେଡ୍-ହୀରାକୁଦ ୪-ଲେନ୍ ରାସ୍ତା ଆଦିର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହି ଗୋଟିଏ ବର୍ଷରେ ସେପ୍ଟେମ୍ବର ସୁଦ୍ଧା ସମ୍ବଲପୁର ପାଇଁ ପ୍ରାୟ ୧,୯୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରାଯାଇଛି।
ପଶ୍ଚିମ ଓଡ଼ିଶାର ଶିଳ୍ପ ବିକାଶ ଓ ନିଯୁକ୍ତି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲପଙ୍ଗାଠାରେ ହିଣ୍ଡାଲ୍କୋର ସମ୍ପ୍ରସାରଣ ପାଇଁ ୪୦,୦୦୦ କୋଟି ଏବଂ ରେଙ୍ଗାଲିଠାରେ JSW-JFE ଷ୍ଟିଲ୍ ଦ୍ୱାରା ୩୨,୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହା ସହିତ କୃଷି ଭବନ, ଛାତ୍ରୀ ନିବାସ, ସମ୍ବଲପୁର ଫୁଟବଲ୍ ଏକାଡେମୀର ଆଧୁନିକୀକରଣ ଏବଂ ‘ହୀରାକୁଦ ଡ୍ୟାମ୍ ମାଷ୍ଟର ପ୍ଲାନ’ ନିର୍ମାଣ କରାଯାଉଛି।
କେନ୍ଦ୍ର ଓ ରାଜ୍ୟର 'ଡବଲ ଇଞ୍ଜିନ' ସରକାରର ସଫଳତା ଗଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ୯୦ ହଜାର କୋଟିର ରେଳ, ୪୦ ହଜାର କୋଟିର ସଡ଼କ, ୨୫ ହଜାର କୋଟିର ବନ୍ଦର ଏବଂ ୨୫ ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପ ମିଳିଛି। ସମ୍ବଲପୁରରେ ୧,୫୨୧ କୋଟି ଟଙ୍କାର ୪-ଲେନ୍ ବାଇପାସ୍, VIMSARର ୧,୭୦୦ କୋଟିର ସମ୍ପ୍ରସାରଣ, ୧୦୦ କୋଟିର Aqua Park, ଏବଂ ୧୦୦ କୋଟି ଟଙ୍କାର 'ସମଲେଇ ଫେଜ୍-୨' କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ରଙ୍ଗବତୀ' ଗୀତର ତିନିଜଣ ସ୍ରଷ୍ଟା ଓ ଶିଳ୍ପୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରାଯିବା ପ୍ରସଙ୍ଗ ଉଲ୍ଲେଖ କରି ସେ ସଂସ୍କୃତି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ ଓ ବିଶ୍ୱକର୍ମା ପୂଜା ଅବସରରେ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ, 'ଆଶୀର୍ବାଦର ଦୀପ' ଏବଂ 'ଏକ ପେଡ ମା କେ ନାମ' କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦୀପ ଲଗାଇ ଦୀର୍ଘ ନିରାମୟ ଜୀବନ କାମନା କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଧାୟକ ଜୟ ନାରାୟଣ ମିଶ୍ର, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର, SRC ରାଜେଶ ପ୍ରଭାକର ପାଟିଲ, ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।